ନୂଆଦିଲ୍ଲୀ: ଗତ ଜୁଲାଇ ୨୭ ତାରିଖରେ ଭାରତର 'ମିସାଇଲ୍ ମ୍ୟାନ୍', ପୂର୍ବତନ ରାଷ୍ଟ୍ରପତି, ଭାରତରତ୍ନ ଡ ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି ଥିଲା। 

Advertisment

୨୦୧୫ ଜୁଲାଇ ୨୭ ତାରିଖରେ କଲାମ ନିଜର ସବୁଠାରୁ ପ୍ରିୟ କାର୍ଯ୍ୟ, ଅର୍ଥାତ୍ ଶିକ୍ଷାଦାନ କରୁଥିବା ସମୟରେ ଆଇ.ଆଇ.ଏମ୍. ଶିଲଙ୍ଗ୍ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ କଲାମଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ଅଧୁରା ସ୍ବପ୍ନ ବିଷୟରେ ଆସନ୍ତୁ ଜାଣିବା।

ପ୍ରକୃତରେ 'ମିସାଇଲ୍ ମ୍ୟାନ୍'ଙ୍କ ପିଲାଟି ଦିନରୁ ସ୍ବପ୍ନ ଥିଲା କି ସେ ପାଇଲଟ୍ ହୋଇ ଆକାଶର ଉଚ୍ଚତା ଛୁଇଁବେ, କିନ୍ତୁ ତାଙ୍କର ଏହି ଇଚ୍ଛା ଅଧୁରା ରହିଯାଇଥିଲା।  ଏହି ସ୍ୱପ୍ନ ପୂରଣ କରିବା ପାଇଁ କଲାମ ଡେରାଡୁନରେ ବାୟୁସେନା ପ୍ରବେଶିକା ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ପାସ୍  ହେବାପରେ ତାଙ୍କର ଇଣ୍ଟରଭ୍ୟୁ ମଧ୍ୟ ହୋଇଥିଲେ। 

ଇଣ୍ଟରଭ୍ୟୁରେ ୨୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ୮ ଜଣଙ୍କୁ ଚୟନ କରାଯିବାର ଥିଲା ଏବଂ କଲାମ ସାହେବ ୯ମ ସ୍ଥାନରେ ରହି ଯାଇଥିଲେ। ଏପରି ପରିସ୍ଥିତିରେ ତାଙ୍କର ଚୟନ ହୋଇପାରି ନଥିଲା। ଏହି ବିଫଳତାକୁ ନେଇ କଲାମ ଖୁବ ନିରାଶ ହୋଇଯାଇଥିଲେ। କିନ୍ତୁ ଏହି ଇଣ୍ଟରଭ୍ୟୁ କଲାମ ସାହେବଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଥିଲା। 

ସେ ବୁଝିପାରିଲେ ଯେ ଯଦିଓ ସେ ଜଣେ ଲଢ଼ୁଆ ପାଇଲଟ୍ ହୋଇପାରିବେ ନାହିଁ କିନ୍ତୁ ସେ ବିଜ୍ଞାନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶ ପାଇଁ ବହୁତ କିଛି କରିପାରିବେ। ଏହିଠାରୁ ତାଙ୍କର 'ମିସାଇଲ ମ୍ୟାନ୍' ହେବାର ଯାତ୍ରା ଆରମ୍ଭ ହୋଇ ଯାଇଥିଲା। ସେ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନରେ ଯୋଗ ଦେଇଥିଲେ । ପରେ ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଏବଂ ପରମାଣୁ ପରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।