ନିଟ୍ ଟପର କଳ୍ପନା କୁମାରୀଙ୍କ ପ୍ରଥମ ପସନ୍ଦ ଏମ୍ସ

ପାଟନା: ଆଜି ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)୨୦୧୮ ଫଳାଫଳ ପ୍ରକାଶ ପାଇଛି। ବିହାରର କଳ୍ପନା କୁମାରୀ ୭୨୦ରୁ ୬୯୧ ମାର୍କ ହାସଲ କରିବା ସହ ୯୯.୯୯ ପର୍ସେଣ୍ଟାଇଲ ରଖି ସର୍ବଭାରତୀୟ ସ୍ତରରେ ଟପର ହୋଇଛନ୍ତି। ଟପ୍ପର ତାଲିକାରେ ୟୁପିର ଅଧିକ ଛାତ୍ରଛାତ୍ରୀ ରହିଥିବା ଜଣାପଡ଼ିଛି। ବିହାର ଶେଓହର ଜିଲ୍ଲାର ୧୮ ବର୍ଷୀୟା କଳ୍ପନା କୁମାରୀ ପଦାର୍ଥ ବିଜ୍ଞାନରେ ୧୮୦ରୁ ୧୭୧, ରସାୟନ ବିଜ୍ଞାନରେ ୧୮୦ ରୁ ୧୬୦ ଏବଂ ଜୀବ ବିଜ୍ଞାନରେ ୩୬୦ରୁ ୩୬୦ ନମ୍ବର ରଖି ଟପର ହୋଇଛନ୍ତି। ଦୈନିକ ୧୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ସେ ମଧ୍ୟ ସର୍ବ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ପ୍ରବେଶିକା ପରୀକ୍ଷା ଦେଇଛନ୍ତି, ଯାହାର ଫଳାଫଳ ଜୁନ୍‌ ୧୮ ତାରିଖରେ ଆସିବ। ଦିଲ୍ଲୀ ଏମ୍ସ କଳ୍ପନାଙ୍କ ପ୍ରଥମ ପସନ୍ଦ। କଳ୍ପନା କୁମାରୀ ଶେଓହରରେ ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀ ଯାଏଁ ଅଧ୍ୟୟନ କରିଥିଲେ। ଏବେ ସେ ବିହାର ବୋର୍ଡ ଅଧୀନରେ ଓ୍ଵାଇକେଜେଏମ୍‌ କଲେଜ୍‌ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ଏବଂ ଏହାର ଫଳାଫଳ ଜୁନ୍‌ ୬ ତାରିଖରେ ଆସିବ। କଳ୍ପନାଙ୍କ ବାପା ରାକେଶ ମିଶ୍ର ସୀତାମଢ଼ିର ଜିଲ୍ଲା ଡିଆଇଇଟିରେ ଅଧ୍ୟାପକ ଥିବାବେଳେ ମା’ ମମତା କୁମାରୀ ଶେଓହର ସରକାରୀ ବାଳିକା ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ। ପିଲାବେଳୁ କଳ୍ପନାଙ୍କର ପାଠ ପଢ଼ିବାରେ ଢେର୍‌ ଆଗ୍ରହ ରହିଛି। ପଢ଼ିବା ବେଳେ ସେ ଏତେ ମଜ୍ଜି ଯାଇଥାନ୍ତି ଯେ ତାଙ୍କ ଚାରିପାଖରେ କ’ଣ ହୁଏ ସେ ଜାଣିପାରନ୍ତିନି ବୋଲି ତାଙ୍କ ବାପା ମା’ କହିଛନ୍ତି।

ସମ୍ବନ୍ଧିତ ଖବର