ନୂଆଦିଲ୍ଲୀ: ଫିଲ୍ମ ସୁପରଷ୍ଟାର୍ କଲମ ହାସନଙ୍କ ରାଜନୈତିକ କ୍ୟାରିୟର ଆଉ ଫିଲ୍ମ କ୍ୟାରିୟର୍ ଭିତରେ ଆକାଶ ପାତାଳର ଫରକ ରହିଛି । ଫିଲ୍ମ ଜଗତରେ ସେ ବେତାଜ ବାଦଶାହ ଭଳି ଖ୍ୟାତି ଅର୍ଜନ କରିଥିବାବେଳେ, ପଲିଟିକାଲ୍ କ୍ୟାରିୟରରେ କିନ୍ତୁ ସେତେଟା ଖାସ୍ ଉପଲବ୍ଧି ହାସଲ କରିପାରିନାହାନ୍ତି । ହେଲେ ଏଭଳି ସମୟରେ ବି, କମଲ ହାସନଙ୍କ ବୁଡ଼ିଯାଉଥିବା ରାଜନୈତିକ କ୍ୟାରିୟରର ଡଙ୍ଗାକୁ, କୁଟା ଖିଅ ଭଳି ସାହା ହୋଇଛନ୍ତି ଡିଏମକେ ନେତା ଏମକେ ଷ୍ଟାଲିନ୍ । ଏମିତି କି କନ୍ନଡ଼ ଭାଷାକୁ ନେଇ ବିବାଦ ଭିତରେ ଫସିଥିଲେ ବି, କମଲ ହାସନଙ୍କୁ ରାଜ୍ୟସଭା ଯିବା ପାଇଁ ବାଟ ଛାଡ଼ିଦେଇଛି ଡିଏମକେ ।
ଆସନ୍ତା ଜୁନ୍ ୧୯ ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ଆଉ ଏହି ନିର୍ବାଚନରେ ତାମିଲନାଡୁରୁ ଖାଲି ହେବାକୁ ଥିବା ୬ଟି ଆସନ ପାଇଁ ମଧ୍ୟ ଭୋଟ୍ ପଡ଼ିବ । ସଂଖ୍ୟାବଳ ଦୃଷ୍ଟିରୁ ଏଠାରେ ଡିଏମକେ ୪ଟି ସିଟ୍ ଜିତିବା ଏକପ୍ରକାର ପକ୍କା, ହେଲେ ତା’ ପରେ ବି ମେଣ୍ଟ ଧର୍ମ ପାଳନ କରି କମଲ ହାସନଙ୍କ ପାର୍ଟି ଏମଏନଏମ୍ ପାଇଁ ଗୋଟିଏ ସିଟ୍ ଛାଡ଼ିଦେଇଛି ଡିଏମକେ । ତେଣୁ ଏହି ସିଟରୁ କମଲ ହାସନ ରାଜ୍ୟସଭାକୁ ଯିବା ପକ୍କା ବୋଲି ଜଣାପଡୁଛି । ହେଲେ ଡିଏମକେ, କମଲ ହସନଙ୍କୁ ଗୋଟିଏ ରାଜ୍ୟସଭା ସିଟ୍ ଛାଡ଼ିଦେବା ଦଳ ପାଇଁ କେତେ ଲାଭଦାୟକ ହେବ, ତାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି?
ଏହା ପଛର କାରଣ ହେଉଛି, ତାମିଲ-କନ୍ନଡ ଭାଷାକୁ ନେଇ ମନ୍ତବ୍ୟ ଦେବା ଘଟଣାରେ ଏବେ ବିବାଦ ଭିତରେ ଫସିଛନ୍ତି କମଲ ହାସନ । ନିଜ ଫିଲ୍ମ ‘ଠଗ୍ ଲାଇଫ୍’ ରିଲିଜ୍ ସମୟରେ କମଲ ହସନ କହିଥିଲେ, କନ୍ନଡ ଭାଷା ତାମିଲ ଭାଷାରୁ ହିଁ ସୃଷ୍ଟି ହୋଇଛି । ଯାହାକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ଏମିତି କି, ବିଜେପି ଆଉ କଂଗ୍ରେସ ମଧ୍ୟ ଏହି ବୟାନକୁ ନେଇ କମଲ ହାସନଙ୍କୁ ବିରୋଧ କରୁଥିବାବେଳେ, ଡିଏମକେ କିନ୍ତୁ ଏଭଳି ସମୟରେ କମଲ ହାସନଙ୍କୁ ରାଜ୍ୟସଭା ପାଇଁ ବାଟ ଛାଡ଼ିଛି । ତେଣୁ ଚର୍ଚ୍ଚା ହେବା ସ୍ୱାଭାବିକ ଯେ, ଏହା ପଛରେ ଡିଏମକେର ଫାଇଦା କଣ?