ତାମିଲନାଡୁ: ନିର୍ବାଚନ ପ୍ରଚାର ବେଳେ କମଲ ହାସନଙ୍କ ଗାଡ଼ି ଉପରେ ଆକ୍ରମଣ

କାଞ୍ଚିପୁରମ୍‌: ଅଭିନେତାରୁ ରାଜନେତା ପାଲଟିଥିବା ତଥା ମକ୍କାଲ ନିହି ମାୟାମ (ଏମ୍‌ଏନଏମ) ଦଳର ମୁଖ୍ୟ ରହିଥିବା କମଲ ହାସନଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ଆସନ୍ତା ଅପ୍ରେଲ ୬ ତାରିଖରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସାରି ଅଭିନେତା- ରାଜନେତା କମଲ ହାସନ ଏଠାରେ ଥିବା ଏକ ହୋଟେଲକୁ ଫେରୁଥିବା ବେଳେ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ହାସନ ଯଦିଓ ଆହତ ହୋଇନାହାନ୍ତି ତଥାପି ତାଙ୍କ ଗାଡିର ୱିଣ୍ଡସ୍କ୍ରିନ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି।

ଏମଏନଏମ ନେତା ତଥା ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଏ ଜି ମୌର୍ଯ୍ୟ ଟୁଇଟ୍‌ କରି କହିଛନ୍ତି ଯେ ତାଙ୍କ ଦଳର ମୁଖ୍ୟଙ୍କ କାର୍‌ ୱିଣ୍ଡସ୍କ୍ରିନ ନଷ୍ଟ ହୋଇଯାଇଛି ଏବଂ ହାସନଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ଧରି ହାସନ ପୁଲିସକୁ ହସ୍ତାନ୍ତର କରଛନ୍ତି। ତେବେ, ବିରୋଧୀଙ୍କ ଏପରି କାର୍ଯ୍ୟ ଦ୍ୱାରା ଦଳ ଭୟଭୀତ ହେବ ନାହିଁ ବୋଲି ମୌର୍ଯ୍ୟ କହିଛନ୍ତି। ତାଙ୍କ ଟୁଇଟକୁ ମକ୍କାଲ ନିହି ମାୟାମର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା ରିଟୁଇଟ କରାଯାଇଛି।

ସ୍ଥାନୀୟ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଜଣେ ଯୁବକଙ୍କର ଭିଜୁଆଲ ପ୍ରସାରଣ କରିଥିଲେ, ଯାହାକୁ ଆକ୍ରମଣକାରୀ ବୋଲି କୁହାଯାଉଛି। ହାସନଙ୍କ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର