କଶ୍ମୀରରେ ଗଣମତ ଟିପ୍ପଣୀ ଦେଇ:ବିବାଦରେ କମଲ୍ ହାସନ୍

ଚେନ୍ନାଇ : ଅଭିନେତାରୁ ରାଜନେତା ହୋଇଥିବା କମଲ୍‌ ହାସନଙ୍କର ଏକ ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପୁଲ୍‌ୱାମା ଆକ୍ରମଣ ପରେ ଗତକାଲି ଏକ କାର୍ଯ୍ୟକ୍ରମରେ ହାସନ୍ କଶ୍ମୀରରେ ଜନମତ ସଂଗ୍ରହ କରି ଲୋକଙ୍କୁ କହିବାର ସୁଯୋଗ ଦେବା ସପକ୍ଷରେ ଟିପ୍ପଣୀ କରିବା ସହ ସରକାର ଏ ଯାବତ୍‌ କାହିଁକି ଜନମତ ସଂଗ୍ରହ କରିନାହାନ୍ତି ଏବଂ କାହାକୁ ଭୟ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ତେବେ ଏଥି ପାଇଁ ବିଭିନ୍ନ କ୍ଷେତ୍ରରୁ ତାଙ୍କୁ କଡ଼ା ସମାଲୋଚନା କରାଯିବା ପରେ ତାଙ୍କ ରାଜନୈତିକ ଦଳ ‘ମକଲ୍‌ ନିଧି ମା‌ୟମ୍‌’ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଛି। ଏଭଳି ଦୁଃଖଦ ସମୟରେ ଦଳ ଏବଂ ଦଳର ମୁଖ୍ୟ ହାସନ ଭାରତୀୟ ସେନା ସହ ଅଛନ୍ତି ବୋଲି କୁହାଯାଇଛି। କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦଳ ବିଶ୍ବାସ କରେ। ମାତ୍ର ହାସନଙ୍କ ଟିପ୍ପଣୀକୁ ଗଣମାଧ୍ୟମରେ କଦର୍ଥ କରାଯାଇଛି ବୋଲି ସଫେଇ ଦିଆଯାଇଛି। ୩ ଦଶନ୍ଧି ତଳେ ଏକ ପତ୍ରିକାରେ ପ୍ରକାଶ ପାଇଥିବା ଏକ ସ୍ତମ୍ଭର କିଛି ଅଂଶ ବର୍ଣ୍ଣନା କଲା ବେଳେ ହାସନ୍‌ ‘ଜନମତ ସଂଗ୍ରହ’ ଉପରେ କହିଥିଲେ। କିନ୍ତୁ ଗଣମାଧ୍ୟମରେ ଏହାକୁ କଦର୍ଥ କରାଯାଇ ଭୁଲ୍‌ ରୂପ ଦିଆଯାଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର କୌଣସି ଗୁରୁତ୍ବ ନଥିବା ହାସନ୍‌ଙ୍କ ଦଳ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସଫେଇ ଦିଆଯାଇଛି।

ସମ୍ବନ୍ଧିତ ଖବର