ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ପାଲଟିଥିବା କମଲ୍ ହାସନ ନିକଟରେ ଏକ ସାକ୍ଷାତକାରରେ ତାଙ୍କର ବିବାଦୀୟ ଚଳଚ୍ଚିତ୍ର ‘ବିଶ୍ବରୂପ’ ନେଇ ଅନେକ ଚାଂଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି। ୨୦୧୩ରେ ଏହି ଫିଲ୍ମର ମୁକ୍ତିଲାଭ ସଙ୍କଟରେ ପଡ଼ିଯାଇଥିଲା ଏବଂ ତାମିଲନାଡ଼ୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତା ଏ କ୍ଷେତ୍ରରେ ଏକ ବିରାଟ ପ୍ରତିବନ୍ଧକ ସାଜିଥିଲେ ବୋଲି କମଲ କହିଛନ୍ତି।
ଏକ ସାକ୍ଷାତକାରରେ କମଲ କହିଛନ୍ତି-‘ତାଙ୍କର ଅହଙ୍କାର ବିରୋଧରେ ମୁଁ ଲଢ଼େଇ କରିଥିଲି ଏବଂ ଆତ୍ମ ସମ୍ମାନ ପାଇଁ ହୋଇଥିବା ଲମ୍ବା ସଂଘର୍ଷରେ ବିଜୟୀ ହୋଇଥିଲି। ଭାରତର ସାମରିକ ଗୁଇନ୍ଦା ସଂସ୍ଥା ‘ର’କୁ ନେଇ ୨୦୧୩ରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରର ପ୍ରସାରଣ ଅଧିକାର ଜୟଲଳିତାଙ୍କ ଜୟା ଟିଭି ନେବାକୁ ଚାହୁଥିଲା ଏବଂ ନିଲାମ ପ୍ରକ୍ରିୟାରେ ମଧ୍ୟ ଏହା ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ଏ ବାବଦରେ ମତେ ଯେଉଁ ଅର୍ଥ ମିଳିବାକୁ ଥିଲା ତାହା ବେଆଇନ ପ୍ରକ୍ରିୟାରେ ଦିଆଯିବ ବୋଲି କୁହାଯାଇଥିଲା। ତେବେ ମୁଁ କଳାଧନ ଗ୍ରହଣ କରିବାକୁ ମନା କରିଦେବା ପରେ ଫିଲ୍ମ ଉପରେ ବଜ୍ରପାତ କରିବାକୁ ପ୍ରୟାସ ହୋଇଥିଲା। ଫିଲ୍ମ ମୁକ୍ତିଲାଭ ପୂର୍ବରୁ ଏହାକୁ ତତ୍କାଳୀନ ତାମିଲନାଡ଼ୁ ପୁଲିସ ମୁଖ୍ୟ ଏବଂ ଜୟା ଟିଭି ମୁଖ୍ୟ ଦେଖିଥିଲେ ଏହା ବିରୋଧରେ କଟକଣା ଲାଗୁ କରିବା ପାଇଁ ସୁପାରିସ କରିଥିଲେ। ସରକାର ଏହାପରେ ବିଶ୍ବରୂପକୁ ନିଷିଦ୍ଧ ଘୋଷଣା କରିଥିଲେ। କିନ୍ତୁ ମୁଁ ଏଥିରେ ଦବି ନଯାଇ ସଂଘର୍ଷ ଜାରି ରଖିଥିଲି ଏବଂ ଅଦାଲତ ମାଧ୍ୟମରେ କଟକଣା ହଟିଥିଲା। ଏହା ପରେ ବିଦେଶରେ ଫିଲ୍ମର ପ୍ରିମିୟର ପୂର୍ବରୁ ପୁଣି ଥରେ ଏହାକୁ ନିଷିଦ୍ଧ ଘୋଷଣା କରାଗଲା। ଏହା ପରେ ସର୍ତ୍ତମୂଳକ ଭାବେ ମତେ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଥିଲା। କିନ୍ତୁ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲି। ଏହାପରେ ଫିଲ୍ମ ପାଇଁ ମୁଁ କରିଥିବା ଋଣକୁ ନେଇ ମୋର ସମ୍ପତ୍ତି ଜବତ କରିବାକୁ ପ୍ରୟାସ ହେବାରୁ ମୁଁ ଦେଶ ଛାଡ଼ି ଅନ୍ୟତ୍ର ରହିବାକୁ ଯୋଜନା କରିଥିଲି। କିନ୍ତୁ ସବୁ ଅନ୍ୟାୟ ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଇ ମୁଁ ପୁଣି ଅଦାଲତର ଦ୍ବାରସ୍ଥ ହୋଇ ବିଜୟୀ ହୋଇଥିଲି। କମଲ ତାଙ୍କ ସାକ୍ଷାତକାରରେ ଏହି ବିସ୍ଫୋରକ ତଥ୍ୟ ପ୍ରଘଟ କରିବା ପରେ ଏହାକୁ ନେଇ ତାମିଲନାଡ଼ୁରେ ସରଗରମ ଚର୍ଚ୍ଚା ଚାଲିଛି।
‘ବିଶ୍ବରୂପ’ ଫିଲ୍ମ ନେଇ କମଲ୍ ହାସନଙ୍କ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ
ଜୟାଙ୍କ ଅହଙ୍କାର ବିରୋଧରେ ଲଢ଼େଇ କରିଥିଲି
/sambad/media/post_attachments/wp-content/uploads/2019/06/kamal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)