କୃଷି ଋଣଛାଡ଼ କଲେ କମଲନାଥ

୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଛାଡ଼

ଭୋପାଳ : ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିବା କ୍ଷଣି ବରିଷ୍ଠ କଂଗ୍ରେସ ନେତା କମଲନାଥ୍‌ ନିଜ ପ୍ରତିଶ୍ରୁତି ପୂରଣ ପାଇଁ ତତ୍ପରତା ଦେଖାଇଛନ୍ତି। ରାଜ୍ୟ ଚାଷୀମାନଙ୍କ ପାଇଁ ସେ କୃଷି ଋଣ ଛାଡ଼ ଘୋଷଣା କରିଛନ୍ତି। ଶପଥ ନେବାର ମାତ୍ର ୨ ଘଣ୍ଟା ପରେ କୃଷି ଋଣ ଛାଡ଼ ସଂକ୍ରାନ୍ତ ଏକ ଫାଇଲ୍‌ରେ ସେ ଦସ୍ତଖତ କରିଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍‌ଙ୍କ ଦ୍ବାରା ୭୨ ବର୍ଷୀୟ କମଲନାଥ୍‌ ଶପଥ ପାଠ କରିଥିଲେ। ତେବେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ଶପଥ ନେଇନାହାନ୍ତି। ଅନ୍ୟପକ୍ଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯେ ରାଜ୍ୟର ପ୍ରଥମ କ୍ୟାବିନେଟ୍‌ ବୈଠକରେ କୃଷି ଋଣ ଛାଡ଼ କରାଯିବ।

ମଧ୍ୟ ପ୍ରଦେଶର ନୂଆ ସରକାର ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିଛନ୍ତି। ଚଳିତବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନିଆଯାଇଥିବା ଋଣକୁ ଛାଡ଼ କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ଓ ସମବାୟ ବ୍ୟାଙ୍କଗୁଡ଼ିକରୁ ଋଣ ନେଇଥିବା ଚାଷୀମାନେ ଏହି ସୁବିଧା ପାଇପାରିବେ। ତେବେ ଏହାଦ୍ବାରା ରାଜ୍ୟ ରାଜକୋଷକୁ ଅତିକମ୍‌ରେ ୫୦ହଜାର କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି।

କମଲନାଥ ସରକାର କୃଷି ଋଣ ଛାଡ଼ ନେଇ ଘୋଷଣା କରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ‌ସେ କହିଛନ୍ତି, ଗୋଟିଏ ରାଜ୍ୟରେ କୃଷି ଋଣ ଛାଡ଼ କରାଗଲା। ଆଉ ଦୁଇଟି ରାଜ୍ୟ ଯଥା ରାଜସ୍ଥାନ ଓ ଛତିଶଗଡ଼ରେ ଶୀଘ୍ର ଋଣ ଛାଡ଼ ପାଇଁ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର