କମଳନାଥ ସରକାର ପାଇଁ ସଙ୍କଟ : ୧୦ ବିଧାୟକଙ୍କୁ ନେଇ ସସ୍‌ପେନ୍ସ

କଂଗ୍ରେସର ଅଭି‌ଯୋଗ: ବିଜେପି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ୧୫ ମାସର କମଳନାଥ ସରକାରଙ୍କ ପାଇଁ ଏବେ ସଙ୍କଟ ଦେଖାଦେଇଛି। କଂଗ୍ରେସ ଏବଂ ଏହାର ସହଯୋଗୀ ଦଳର ପ୍ରାୟ ୧୦ ଜଣ ବିଧାୟକ ଗୁର୍‌ଗାଓଁର ଏକ ହୋଟେଲ୍‌ରେ ଏକଜୁଟ ହୋଇ ରହିଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ସରକାର ଭାଙ୍ଗିବା ପାଇଁ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି। ତେବେ ଏହି ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କୁ ହୋଟେଲ୍‌ରୁ ‌ଫେରାଇ ଆଣିବା ପାଇଁ କଂଗ୍ରେସ ସମର୍ଥ ହୋଇଛି ବୋଲି କୁହାଯାଇଛି। କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ କହିଛନ୍ତି ୬ ବିଧାୟକଙ୍କୁ ଆମେ ଫେରାଇ ଆଣିବାରେ ସମର୍ଥ ହୋଇଛୁ ଏବଂ ସରକାରଙ୍କ ପ୍ରତି ଏବେ ଆଉ ବିପଦ ନାହିଁ। ଅନ୍ୟପକ୍ଷେ ମଧ୍ୟପ୍ରଦେଶର ଏହି ରାଜନୈତିକ ଡ୍ରାମା ଏବେ ବେଙ୍ଗାଲୁରୁରେ ପହଞ୍ଚିଥିବା ଜଣାପଡ଼ିଛି। ବିଜେପି ଦ୍ବାରା ୪ ଜଣ କଂଗ୍ରେସ ବିଧାୟକଙ୍କୁ ଗୁର୍‌ଗାଓଁରୁ ବେଙ୍ଗାଲୁରୁ ହୋଟେଲ୍‌କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଇତି ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି, ବିଜେପି ମଧ୍ୟପ୍ର‌ଦେଶରେ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି। ‌ତେବେ ସରକାରଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଅଛି ବୋଲି ସେ କହିଛନ୍ତି। ରାଜ୍ୟରେ ଏଭଳି ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ କମଳନାଥ ଆଜି ଦିଲ୍ଲୀ ଆସିଛନ୍ତି।

ସମ୍ବନ୍ଧିତ ଖବର