କମଲନାଥ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଚୟନ ପାଇଁ ରାହୁଲ ଝାଳନାଳ, ସୋନିଆ, ପ୍ରିୟଙ୍କା ବି ସାମିଲ ‌ହେଲେ, ରାଜସ୍ଥାନ, ଛତିଶଗଡ଼ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା କମଲନାଥ ହେବେ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାତିରେ ଭୋପାଳରେ ଅନୁଷ୍ଠିତ ନବନିର୍ବାଚିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ଘୋଷଣା ହୋଇଛି। ୭୨ ବର୍ଷୀୟ କମଲନାଥ ଆସନ୍ତାକାଲି ସକାଳେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ। ଏହାପରେ ଶପଥପାଠ ଉତ୍ସବର ସମୟ ନିର୍ଧାରଣ କରାଯିବ।

ଦୀର୍ଘ ୧୫ ବ‌ର୍ଷ ପରେ ମଧ୍ୟ ପ୍ରଦେଶରେ କ୍ଷମତାକୁ ଫେରିଥିବା କଂଗ୍ରେସ ବିଏସ୍‌ପି ଓ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବ। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଆଜି ଦିନସାରା ଦିଲ୍ଲୀ କସରତ ଚାଲିଥିଲା। ଏହି ପଦ ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଦୃଢ଼ ଦାବିଦାର ଥି‌େଲ।

ଅନ୍ୟପକ୍ଷରେ ରାଜସ୍ଥାନ ଓ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଆଜି ରାତି ପର୍ଯ୍ୟନ୍ତ କସରତ ସତ୍ତ୍ବେ କଂଗ୍ରେସ ପକ୍ଷରୁ କୌଣସି ନାମ ଘୋଷଣା କରାଯାଇ ନାହିଁ। ରାଜସ୍ଥାନ ପାଇଁ ରାହୁଲ ଅଶୋକ ଗେହଲଟ୍‌ଙ୍କ ନାମକୁ ମଞ୍ଜୁରି ଦେଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ଅଶୋକ ଗେହଲଟ୍‌ ଏବଂ ସଚିନ ପାଇଲଟ୍‌ଙ୍କ ସମର୍ଥକମାନେ ରାଜ୍ୟରେ ମୁହାଁମୁହିଁ ହେବା ସହ ରାସ୍ତାକୁ ଓହ୍ଲାଇଥିବାରୁ ବିବାଦ ବଢ଼ିବାରେ ଲାଗିଛି।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ, ସେ ନେଇ ରାହୁଲ କୌଣସି ସିଦ୍ଧାନ୍ତରେ ପହଞ୍ଚି ନପାରିବାରୁ ଶେଷରେ ‌ଗେହଲଟ୍‌ ଓ ପାଇଲଟ୍‌ଙ୍କୁ ଦିଲ୍ଲୀ ଡକାଇଥିଲେ। ଉଭୟଙ୍କ ସହ ଦିନସାରା ଆଲୋଚନା କରିଥିଲେ। ୟୁପିଏ ଅଧ୍ୟକ୍ଷା ‌ସୋନିଆ ଗାନ୍ଧୀ ମଧ୍ୟ ବୈଠକରେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ। ବୈଠକ ମଝିରୁ ଗେହଲଟ୍‌ ତିନି ତିନି ଥର ଉଠିପଡ଼ି ବାହାରିକୁ ଚାଲିଯାଇଥିଲେ। ତାଙ୍କୁ ପୁଣି ଡକାଯାଇଥିଲା। ତୃତୀୟ ଥର ଲାଗି ତାଙ୍କୁ ଦିଲ୍ଲୀ ବିମାନଘାଟୀରୁ ଅଣାଯାଇଥିଲା।

ଗେହଲଟ୍‌ ରାଜସ୍ଥାନରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଖବର ପ୍ରଚାରିତ ହେବା ପରେ ପାଇଲଟ୍‌ଙ୍କ ସମର୍ଥକମାନେ ଏହାକୁ ଜୋରଦାର ବିରୋଧ କରିଥିଲେ। ଅନ୍ୟପକ୍ଷରେ ଗେହଲଟ୍‌ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ନିକଟରେ ବ୍ୟାପକ ଅଭିଜ୍ଞତା ଥିବାରୁ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଗଲେ ଦଳ ଆଗକୁ ଫାଇଦାରେ ରହିବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି।
ରାଜସ୍ଥାନ କଂଗ୍ରେସ ମୁଖ୍ୟ ସଚିନ୍‌ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ରାହୁଲଙ୍କ ଆଗ୍ରହ ସତ୍ତ୍ବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗେହଲଟ୍‌ଙ୍କୁ ପସନ୍ଦ କରୁଥିବାରୁ ସବୁକିଛି ସସ୍‌ପେନ୍ସରେ ରହିଥିଲା।

ଆଜି ପାଇଲଟ୍‌ ପ୍ରଥମେ ଦିଲ୍ଲୀ ଆସି ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟ‌ରେ ବିଚାରବିମର୍ଶ ହୋଇଥିଲା। ମନମୋହନ ସିଂହ ସରକାରରେ ମନ୍ତ୍ରୀ ରହିଥିବା ସଚିନ୍‌ ପାଇଲଟ୍‌ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାଜ୍ୟରେ ଦଳକୁ ପୁନର୍ଗଠିତ କରାଇବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ଥିଲା। ଏମିତି କି ରାଜ୍ୟର ୯୯ ପ୍ରତିଶତ କଂଗ୍ରେସ ବିଧାୟକ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ‌ବୋଲି ପାଇଲଟ୍‌ ନିଜେ ଦାବି କରିଥିଲେ। ଆଜି ପାଇଲଟ ରାତିରେ ପୁଣି ଥରେ ରହୁଲଙ୍କୁ ଭେଟି ଆଲୋଚନା କରିଛନ୍ତି।

ତେଣେ ଛତିଶଗଡ଼ରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତାହା କାଲି ସ୍ଥିର ହେବ ବୋଲି କୁହାଯାଉଛି। ଏଥିରେ ରାଜ୍ୟର ଦୁଇ ଜଣ ବରିଷ୍ଠ ନେତା ଭୂପେଶ ବାଘେଲ ଏବଂ ସିଂହଦେଓଙ୍କୁ ଆସନ୍ତାକାଲି ଦିଲ୍ଲୀ ଡକାଯାଇଛି। ସେମାନଙ୍କ ସହିତ ରାହୁଲ ଗାନ୍ଧୀ ବିଚାର ଅ‌ାଲୋଚନା କରିବେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର