ସିନ୍ଧିଆ-ପାଇଲଟ୍‌ଙ୍କ ବିଦ୍ରୋହ: କମଲନାଥ ଆଉଟ୍‌, ଶିବରାଜ ଇନ୍‌

୨୦୨୦ ଥିଲା କଂଗ୍ରେସ ପାଇଁ ବିଦ୍ରୋହ ଓ ବିଫଳତାର ବିର୍ଷ। ମଧ୍ୟପ୍ରଦେଶରେ ନିର୍ବାଚିତ କଂଗ୍ରେସ ସରକାର ଭାଙ୍ଗିଯିବା ୨୦୨୦ର ଅନ୍ୟ ଏକ ରାଜନୈତିକ ହଟଚମଟ ଥିଲା। ମାତ୍ର ୧୫ ମାସ କ୍ଷମତାରେ ରହିବା ପରେ ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାରର ପତନ ଘଟିଥିଲା। ୨୦୧୮ରେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସରକାର ଗଢ଼ିବାକୁ ୧୧୬ ଆସନର ଆବଶ୍ୟକତା ପଡୁଥିବା‌ବେଳେ କଂଗ୍ରେସ ଅନ୍ୟ ୨ ସ୍ବାଧୀନ ବିଧାୟକଙ୍କ ସହ‌ଯୋଗରେ ସରକାର ଗଠନ କରିଥିଲା ଏବଂ କମଲ୍‌ନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ କମଲନାଥ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳର ଟାଣୁଆ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମନରେ ଅସନ୍ତୋଷ ରହିଥିଲା।

ଜ୍ୟୋତିରାଦିତ୍ୟ ନିଜ ଅନୁଗତ ୨୨ ବିଧାୟକଙ୍କ ସହ ଦଳ ବିରୋଧରେ ବିଦ୍ରୋହ କରିଥିଲେ ଏବଂ ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିଲେ। ୨୨ ବିଧାୟକଙ୍କ ଇସ୍ତଫା ପରେ ସରକାର ସଂଖ୍ୟାଲଘୁ ହୋଇଯାଇଥିଲା ଏବଂ କମଲନାଥ ଇସ୍ତଫା ଦେଇଥିଲେ। ଏହାପରେ ବିଜେପି ପୁଣି ରାଜ୍ୟରେ କ୍ଷମତାକୁ ଫେରିଥିଲା ଏବଂ ଶିବରାଜ ସିଂହ ଚୌହାନ୍‌ ମୁଖ୍ୟମନ୍ତ୍ରୀ ହେଲେ। ସେହିଭଳି କଂଗ୍ରେସ ଶାସିତ ରାଜସ୍ଥାନରେ ସଚ୍ଚିନ ପାଇଲଟ୍‌ଙ୍କ ନେତୃତ୍ବରେ ୧୭ରୁ ଅଧିକ ବିଧାୟକ ନିଜ ସରକାର ବିରୋଧରେ ବିଦ୍ରୋହ କରିବାରୁ ସେଠାରେ ସରକାର ଭାଙ୍ଗିଯିବା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପାଇଲଟ୍‌ଙ୍କୁ ମନାଇବାରେ କଂଗ୍ରେସ ନେତୃତ୍ବ ସଫଳ ହେବାରୁ ସରକାର ଅଳ୍ପକେ ବର୍ତ୍ତିଯାଇଥିଲା। ପାଇଲଟ୍‌ଙ୍କ ବିଦ୍ରୋହ ପ୍ରଭାବରେ ରାଜସ୍ଥାନ କଂଗ୍ରେସ ଦୁର୍ବଳ ସ୍ଥିତିକୁ ଚାଲି ଆସିବା ସହ ଦଳରେ ଆଭ୍ୟନ୍ତରୀଣ କଳହ ମଧ୍ୟ ଚରମ ସୀମାରେ ପହଞ୍ଚିଛି। ଜ୍ୟୋତିରାଦିତ୍ୟଙ୍କ ବିଦ୍ରୋହ ମଧ୍ୟପ୍ରଦେଶରେ କମଲନାଥ ସରକାରର ପତନ ଘଟାଇବା ସହ ରାହୁଲ ଗାନ୍ଧିଙ୍କ ନେତୃତ୍ବ ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇ ଦେଇଥିଲା।

ସମ୍ବନ୍ଧିତ ଖବର