ଯଦି ଯୋଗୀ ଆଦିତ୍ୟନାଥ ନିର୍ବାଚନରେ ହାରିବେ ନାହିଁ ତେବେ କେବେ ବି ଭାରତକୁ ଫେରିବି ନାହିଁ: କେଆରକେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସହ ୫ଟି ରାଜ୍ୟରେ ନିର୍ବାଚନର ମାହୋଲ ଚାଲିଛି। ଫେବ୍ରୁଆରି ୨୦ରେ ତୃତୀୟ ଚରଣ ମତଦାନ ହେବ। ଏହି ସମୟରେ ଚଳଚ୍ଚିତ୍ର ସମାଲୋଚକ ଓ ଅଭିନେତା କମାଲ୍ ରଶିଦ୍ ଖାନ୍ (ସଂକ୍ଷେପରେ କେଆରକେ)ଙ୍କ ଏକ ଟ୍ଵିଟ୍ ଚର୍ଚ୍ଚାରେ ରହିଛି। କମାଲ୍ ରଶିଦ୍ ଖାନ୍ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସିଧାସଳଖ ଆହ୍ଵାନ ଦେଇ ଶପଥ କରିଛନ୍ତି ଯେ ଯଦି ଯୋଗୀ ଆଦିତ୍ୟନାଥ ନିର୍ବାଚନରେ ହାରିବେ ନାହିଁ ତେବେ ସେ କେବେବି ଭାରତକୁ ଆସିବେ ନାହିଁ।

କେଆରକେ ଟ୍ଵିଟରେ ଲେଖିଛନ୍ତି, ଆଜି ମୁଁ ଶପଥ କରୁଛି ଯେ ଯଦି ୧୦ ମାର୍ଚ୍ଚ ୨୦୨୨ରେ ଯୋଗୀ ଆଦିତ୍ୟନାଥଙ୍କ ପରାଜୟ ନହୁଏ ତେବେ ମୁଁ ପୁନର୍ବାର କେବେ ବି ଭାରତ ଆସିବି ନାହିଁ। ଜୟ ବଜରଙ୍ଗ ବଲୀ।

ଲୋକମାନେ କେଆରକେଙ୍କ ଏହି ଟ୍ଵିଟ୍ ଉପରେ ବିଭିନ୍ନ ପ୍ରକାର ମଜାଦାର ଟ୍ଵିଟ୍ କରୁଛନ୍ତି। ଜଣେ ଟ୍ଵିଟର୍ ବ୍ୟବହାରକାରୀ କେଆରକେ ୧୬ ମଇ ୨୦୧୪ରେ କରିଥିବା ସେହି ପୋଷ୍ଟକୁ ଶେୟାର୍ କରିଛନ୍ତି, ଯେଉଁଥିରେ କେଆରକେ ପାକିସ୍ତାନୀ ଦ୍ରୁତ ବୋଲର୍ ସୋଏବ୍ ଅଖତରଙ୍କ ସହ ଅଛନ୍ତି। ସେତେବେଳେ କେଆରକେ ଲେଖିଥିଲେ ମୋଦୀଜୀ ଜିତି ଯାଇଛନ୍ତି ତେଣୁ ମୁଁ ସବୁଦିନ ପାଇଁ ଭାରତ ଛାଡି ଚାଲି ଯାଉଛି। କେଆରକେଙ୍କ ଏହି ଟ୍ଵିଟ୍ ରେ ଜଣେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଆପଣ ୨୦୧୫ ରେ ହିଁ ମୋଦୀ ଜିତିବା ପରେ ଭାରତ ଛାଡି ଚାଲିଯାଇଥିଲେ।

କେଆରକେ ଅନେକ ସମୟରେ ନିଜ ବିବାଦୀୟ ଟ୍ଵିଟ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ବଲିଉଡ୍ ଉପରେ ଅନେକ ନକରାତ୍ମକ ଟିପ୍ପଣା ଦେଇଥାନ୍ତି। ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ ମାର୍ଚ୍ଚ ୧୦ରେ ଆସିବ।

ସମ୍ବନ୍ଧିତ ଖବର