ଆସନ୍ତା କାଲି ରାଜନୈତିକ ଦଳ ଘୋଷଣା କରିବେ କମଲ ହାସାନ

ଚେନ୍ନାଇ: ତାମିଲ୍‌ ସୁପରଷ୍ଟାର କମଲ ହାସନ ଆସନ୍ତା କାଲି ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବେ । ତାମିଲ ସଂସ୍କୃତିର ପେଣ୍ଠସ୍ଥଳୀ ମଦୁରାଇଠାରେ ସେ ଏକ ବୃହତ ଜନସଭା ଆୟୋଜନ କରିବା ସହ ନିଜର ରାଜନୈତିକ ଯୋଜନା ସଂପର୍କରେ ଘୋଷଣା କରିବେ । ଏହା ସହିତ ସେ ତାମିଲନାଡ଼ୁର ବିଭିନ୍ନ ସ୍ଥାନ ଭ୍ରମଣ କରି ର‍୍ୟାଲି କରିବେ । ପ୍ରଥମ ପର୍ଯ୍ୟାୟରେ ସେ ନିଜର ଜନ୍ମ ସ୍ଥାନ ରାମନାଥପୁରମ ଯିବେ, ଏହା ପରେ ସେ ଡିଣ୍ଡିଗୁଲ, ଶିବଗଙ୍ଗାଇ ଜିଲ୍ଲା ଗସ୍ତ କରିବେ । ତାମିଲନାଡ଼ୁ ରାଜନୀତିରେ ଚାଲିଆସିଥିିବା ଦୁର୍ନୀତିଗ୍ରସ୍ତ ରାଜନୀତିକୁ ସେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ।

କମଲଙ୍କ ମଦୁରାଇ ର‍୍ୟାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ଯୋଗଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷମୂହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି । ତେବେ ସେ ଏକ ଭିଡିଓ ବାର୍ତ୍ତା ପଠାଇବେ । ଏହି ଭିଡିଓକୁ ମୁଦୁରାଇ ସଭାରେ ପ୍ରଦର୍ଶନ କରାଯିବ । ଅନ୍ୟପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଡକାଯାଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟକ୍ରମ ଜଣାପଡିନାହିଁ ।

ନିଜର ଏହି ରାଜ୍ୟ ଭ୍ରମଣ କାଳରେ ଲୋକମାନଙ୍କୁ ଭେଟି ସେମାଙ୍କର ଅଭାବ ଅସୁବିଧା ବୁଝିବେ ବୋଲି କମଲ କହିଛନ୍ତି ।

ସମ୍ବନ୍ଧିତ ଖବର