କମଳା ହାରିସ ନିଜର ବଂଶାଧାର ‘ତାମିଲବ୍ରାହ୍ମଣ’କୁ ଲୁଚାଇଥିଲେ

ନ୍ୟୁୟର୍କ : ଆମେରିକାର ଡେମୋକ୍ରାଟିକ୍‌ ଦଳ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ କମଳା ହାରିସଙ୍କୁ ମନୋନୀତ କରାଯିବା ପରେ ଅନେକ ଆମେରିକୀୟ ଭାରତୀୟ ଉତ୍ସାହିତ ହୋଇପଡ଼ିଛନ୍ତି। ତାଙ୍କ ମାଆ ଶ୍ୟାମଳା ଗୋପାଳନ୍‌ ଜଣେ ଭାରତୀୟ ତାମିଲ ବ୍ରାହ୍ମଣୀ ହୋଇଥିବାରୁ ଭାରତରେ ତାମିଲମାନେ ଏବଂ ପ୍ରବାସୀ ତାମିଲମାନେ ଉଲ୍ଲସିତ ହୋଇପଡ଼ିଛନ୍ତି। ତେବେ ହାରିସ ନିଜକୁ ଜଣେ ଆଫ୍ରିକୀୟ ଆମେରିକୀୟ ବୋଲି ପରିଚୟ ଦେଇଆସିଥିବା ସମ୍ପର୍କରେ କିଛି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି କମଳା ନିଜ କାହାଣୀରୁ ମାଆ ଶ୍ୟାମଳାଙ୍କ ବଂଶଜ ବ୍ରାହ୍ମଣ ସମ୍ପ୍ରଦାୟ ସମ୍ପର୍କରେ ଅଣଦେଖା କରି ଆସୁଥିଲେ ବୋଲି ଵାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲର ସଦ୍ୟ ସଂସ୍କରଣରେ ଭାରତୀୟ-ଆମେରିକୀୟ ସାମ୍ବାଦିକ ସଦାନନ୍ଦ ଧୁମେ ଅଭିଯୋଗ ଆଣିଛନ୍ତି।

ତେବେ କମଳାଙ୍କର ଏପରି ଉଦ୍ଦେଶ୍ୟମୂଳକ ଭାବେ ମାଆଙ୍କ ବଂଶଜ ସମ୍ପର୍କରେ ନ୍ୟୂନ ଦୃଷ୍ଟି ଦେବା ପଛରେ ଦୁଇଟି ପ୍ରମୁଖ କାରଣ ଥାଇପାରେ ବୋଲି ମଧ୍ୟ ସଦାନନ୍ଦ ବାଖ୍ୟା କରିଛନ୍ତି। ପ୍ରଥମତଃ ଜଣେ ଆମେରିକୀୟ ରାଜନେତ୍ରୀ ହିସାବରେ କମଳାଙ୍କର ନିଜ ମାଆଙ୍କ ବଂଶ ପରମ୍ପରା ସମ୍ପର୍କରେ ଅବତାରଣା କରିବାର ଆବଶ୍ୟକତା ନାହିଁ। ଦ୍ବିତୀୟତଃ ଆମେରିକାରେ ପ୍ରବାସୀ ତାମିଲ ବ୍ରାହ୍ଣଣମାନଙ୍କ ଏଭଳି ସଫଳତାକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ବୀକୃତି ଦେବାରେ କୁଣ୍ଠାବୋଧ କରିବେ। ଅତି ପିଲା ବେଳରୁ ନିଜ ମାତାଙ୍କ ଦ୍ବାରା ପାଳନପୋଷଣ ହୋଇଥିଲେ ହେଁ ବାପା ତଥା କୃଷ୍ଣକାୟ ଆଫ୍ରିକୀୟ ଡୋନାଲ୍‌ଡ ହାରିସଙ୍କ ବଂଶଜ ସ୍ଥିତିକୁ କମଳା ଆଦରି ନେଇଥିଲେ। କାରଣ ଏହାଦ୍ବାରା ଆମେରିକାରେ ଜଣେ କୃଷ୍ଣକାୟ ନେତ୍ରୀ ହିସାବରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବାର ମଉକା ଥିଲା। ଅପରପକ୍ଷେ, ଅଜାଘର ତାମିଲନାଡୁକୁ ବୁଲି ଗଲା ବେଳେ ରକ୍ଷଣଶୀଳ ତାମିଲ ବ୍ରାହ୍ମଣମାନେ ମଧ୍ୟ ତାଙ୍କ ଝିଅ(ଶ୍ୟାମଳା) ଜଣେ କୃଷ୍ଣକାୟକୁ ବିବାହ କରିବା ଘଟଣାକୁ ଠିକ୍‌ରେ ଗ୍ରହଣ ନକରିବାର ଆଶଙ୍କା କମଳା ଠିକ୍‌ ଠଉରେଇ ପାରିଥିଲେ। ସୁତରାଂ ସେ ନିଜର ମାତୃବଂଶଜ ପରିଚୟକୁ ଗୋପନ ରଖିଥିଲେ ବୋଲି ସଦାନନ୍ଦ ଲେଖିଛନ୍ତି।

ସମ୍ବନ୍ଧିତ ଖବର