ଭାରତୀୟ ବଂଶୋଦ୍ଭବଙ୍କୁ ନେଇ ଡେମୋକ୍ରାଟିକ୍‌ ପାର୍ଟିର ବଡ଼ ଘୋଷଣା, କମଳା ହେରିସ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ

ଭାରତୀୟ ଉତ୍ସାହିତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଧୀରେ ଧୀରେ ସରଗରମ ହେଉଥିବା ବେଳେ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ଆଜି କାଲିଫର୍ଣ୍ଣିଆ ସିନେଟର୍‌ କମଳା ଦେବୀ ହେରିସ୍‌ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହା ସହିତ ଭାରତୀୟ ବଂଶୋଦ୍ଭବ କମଳା ହେରିସ୍‌ ଆମେରିକାର ନିର୍ବାଚନ ଇତିହ‌ାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। କମଳା ହେରିସ୍‌ଙ୍କ ବୟସ ଏବେ ୫୧ ବର୍ଷ। ସିନେଟ୍‌କୁ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ ମଧ୍ୟରେ ସେ ହେଉଛନ୍ତି ପ୍ରଥମ କୃଷ୍ଣକାୟ ତଥା‌ ଏସୀୟ ସଦସ୍ୟ। ବାଇଡେନ୍‌ କହିଛନ୍ତି କମଳା ହେରିସ୍‌ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଚୟନ କରିବା ମୋ ପାଇଁ ଗର୍ବର ବିଷୟ। ଆମେରିକାର ଜଣେ ଶ୍ରେଷ୍ଠ ପ୍ରଶାସକ ଭାବେ ସେ ଦକ୍ଷତାର ସହ ତାଙ୍କ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି।

ଆମେରିକାର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଡେମୋକ୍ରାଟିକ୍‌ ପାର୍ଟି କମଳା ହେରିସ୍‌ଙ୍କ ଭଳି ପ୍ରାର୍ଥୀଙ୍କୁ ଅତ୍ୟନ୍ତ ଉଲ୍ଲାସର ସହ ସ୍ବୀକାର କରିଛି ବୋଲି ସେ କହ‌ିଛନ୍ତି। ଆଗାମୀ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଉଭୟ ଭାରତୀୟ ଏବଂ ଆଫ୍ରିକୀୟ ଭୋଟରଙ୍କ ସମର୍ଥନ ହାସଲ ପାଇଁ ବାଇଡେନ୍‌ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଡେମୋକ୍ରାଟିକ୍‌ ଦଳର ଏଭଳି ଘୋଷଣା ଭାରତୀୟଙ୍କୁ ଉତ୍ସାହିତ କରିଛି ଏବଂ ଭାରତୀୟ-ଆମେରିକୀୟମାନେ ଏହାକୁ ଜୋର୍‌ଦାର ସ୍ବାଗତ କରିଛନ୍ତି। ତେବେ ହେରିସ୍‌ଙ୍କୁ ପ୍ରାର୍ଥୀ କରି ଅଶ୍ବେତ ଭୋଟ୍‌ରଙ୍କୁ ପ୍ରଭାବିତ କରିବା ଏବଂ ଗୋଟିଏ ତୀରରେ ଅନେକ ଶିକାର କରିବା ବାଇଡେନ୍‌ଙ୍କ ଲକ୍ଷ୍ୟ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର