ମାତାଲ ସ୍ଥିତି, ସେଲଫି ପାଇଁ ସମସ୍ୟା: କମଳା ମିଲ୍‌ସ୍ ଅଗ୍ନିକାଣ୍ଡ

ମୁମ୍ବାଇଁ: ମୁମ୍ବାଇର ସେନାପତି ବାପତ୍‌ ମାର୍ଗ ସ୍ଥିତ କମଳା ମିଲ୍‌ସ କମ୍ପାଉଣ୍ଡରେ ଗତରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ମୁମ୍ବାଇବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ସେଲ୍‌୍‌ଫି ପାଗଳାମି ଏବଂ ଗ୍ରାହକଙ୍କ ମାତାଲ ସ୍ଥିତି ଯୋଗୁଁ କିଭଳି ବାଧାପ୍ରାପ୍ତ ହୋଇଥିଲା ତାହା ଆଜି ସାମ୍ନାକୁ ଆସିଛି। କମଳା ମିଲ୍‌୍‌ସ ପରିସରସ୍ଥ ଏକ ୪ ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନର ଛାତ ଉପରେ ଚାଲିଥିବା ‘ଓ୍ଵାନ୍‌ ଏବଭ୍‌ ରେସ୍ତୋରାଁ’ ଏବଂ ‘ମୋଜୋ ପବ୍‌’ ଗୁରୁବାର ରାତି ୧୨.୩୦ରେ ନିଆଁ ଲାଗିଥିବା ସଂପର୍କରେ ଅଗ୍ନିଶମ ବାହିନୀକୁ ଖବର ମିଳିଥିଲା। ତେବେ ଅଗ୍ନିଶମ ବାହିନୀ ଏହି କମ୍ପାଉଣ୍ଡର ସଂକୀର୍ଣ୍ଣ ରାସ୍ତା ଦେଇ ବହୁ କଷ୍ଟରେ ପବ୍‌ ନିକଟରେ ପହଞ୍ଚିବା ବେଳକୁ ସେଠାରେ ସେଲ୍‌ଫି ପାଗଳ ଲୋକଙ୍କ ଭିଡ଼ ଜମିଥିଲା। ହଜାର ହଜାର ଲୋକେ ଆକାଶକୁ ଉଠୁଥିବା ନିଆଁ ଓ ଧୂଆଁର ସେଲ୍‌୍‌ଫି ନେଇ ଚାଲିଥିଲେ ଏବଂ ଏହି ଲୋକଙ୍କୁ ଏଡ଼ାଇ ଅଗ୍ନଶମ କର୍ମଚାରୀ ଆଗକୁ ବଢ଼ିବାରେ ସମସ୍ୟା ହୋଇଥିଲା। ଏ ବାବଦରେ ହୋଇଥିବା ବିଳମ୍ବ ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଅନ୍ୟପକ୍ଷରେ ଉଭୟ ରେସ୍ତୋରାଁରେ ଫସିଥିବା ଅଧିକାଂଶ ଗ୍ରାହକ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିବାରୁ ସେମାନଙ୍କୁ ତତ୍କାଳ ନିରାପଦ ସ୍ଥାନକୁ ଆଣିବାରେ ସମସ୍ୟା ଉପୁଜିଥିଲା। ଅନେକ ଗ୍ରାହକ ନିଶାସକ୍ତ ଅବସ୍ଥାରେ ଟଏଲେଟ୍‌ରେ ପଶି ଭିତରୁ କବାଟ ବନ୍ଦ କରିଦେଇଥିଲେ। ଆଉ କେତେକ ବ୍ୟକ୍ତି ନିଶାସକ୍ତ ଭୁଲ୍‌ ରାସ୍ତାରେ ବାହାରିବାକୁ ଚେଷ୍ଟା କରି ଆହତ ହୋଇଥିଲେ। ଏଭଳି ସ୍ଥିତିରେ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ତଳକୁ ଆଣିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ବଡ଼ ଚ୍ୟାଲେଂଜ ଥିଲା।

୫ ବିଏମ୍‌ସି ଅଧିକାରୀ ନିଲମ୍ବିତ

କମଲା ମିଲ୍ସ କମ୍ପାଉଣ୍ଡରେ ଚାଲୁଥିବା ରେସ୍ତୋରାଁ ଏବଂ ପବ୍‌ରେ ଅଗ୍ନି ସୁରକ୍ଷା ନିୟମ ଉଲ୍ଲଂଘନ କରାଯାଇଛି। ବିଏମ୍‌ସି ଅଧିକାରୀଙ୍କ ମତରେ ୨୦୧୬ ମସିହାରେ ଏହି ପ୍ରତିଷ୍ଠାନ ଅଗ୍ନି ସୁରକ୍ଷା ଏବଂ ନିର୍ମାଣ ଅନୁମତି ଆଣିଥିଲେ ମଧ୍ୟ ଏହା କୌଣସି ନିୟମ ପାଳନ କରିନାହିଁ। ନିଅାଁ ଲାଗିଯିବା ସମୟରେ ଗ୍ରାହକମାନଙ୍କୁ ନିଅାଁରୁ ରକ୍ଷା କରିବା ପରିବର୍ତ୍ତେ ପବ୍‌ ମ୍ୟାନେଜର ଏବଂ ଅନ୍ୟ କର୍ମଚାରୀମାନେ କୌଣସି ପଦକ୍ଷେପ ନେଇନଥିଲେ ଏବଂ ସେଠାରୁ ତୁରନ୍ତ ଖସି ପଳାଇଥିଲେ ବୋଲି ପୁଲିସ ସୁତ୍ରରୁ ଜଣାଯାଇଛି। ଉକ୍ତ ପବ୍‌ରେ ଅଗ୍ନି ସୁରକ୍ଷା ପଦକ୍ଷେପ ନିଆଯାଇନାହିଁ କି ଜରୁରୀ ପ୍ରସ୍ଥାନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ଏହି ଘଟଣାପାଇଁ ବିଏମ୍‌ସି (ବୃହତ ମୁମ୍ବାଇ ନଗରପାଳିକା ନିଗମ) ଏହାର ୫ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛି ବୋଲି ମ୍ୟୁନିସିପାଲ କମିସନର ଅଜୟ ମେହେଟା କହିଛନ୍ତି।

ଆମେରିକାରୁ ଫେରିଥିବା ଦୁଇ ଭାଇ ପ୍ରାଣ ହରାଇଲେ

ଆମେରିକାରେ ରହୁଥିବା ଦୁଇ ଭାଇ ଧରିୟା ଏବଂ ବିଶ୍ୱ ଲଲାନି ସପ୍ତାହକ ତଳେ ଛୁଟି କାଟିବାପାଇଁ ମୁମ୍ବାଇରେ ପହଞ୍ଚିଥିଲେ। ପରିବାରରେ ଆୟୋଜିତ ବିବାହ ଉତ୍ସବରେ ସାମିଲ ହେବାପାଇଁ ସେମାନେ ମୁମ୍ବାଇ ଆସିଥିଲେ। କିନ୍ତୁ କମଳା ମିଲ୍ସ ଅଗ୍ନିକାଣ୍ଡରେ ସେମାନେ ପ୍ରାଣ ହରାଇଛନ୍ତି। ଦୁଇ ଭାଇଙ୍କ ପାଇଁ ସେମାନଙ୍କ ଖୁଡ଼ି ‘ଓ୍ଵାନ୍‌ ଏବଭ୍‌’ ରେସ୍ତୋରାଁରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ସେମାନଙ୍କ ଅନ୍ୟ କିଛି ବନ୍ଧୁ ମଧ୍ୟ ଯୋଗ ଦେଇଥିଲେ। ସେମାନଙ୍କ ପାର୍ଟିରେ ସାମିଲ ଥିବା ଜଣେ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ସେମାନେ ପବ୍‌ର ପ୍ରବେଶ ଦ୍ୱାରରେ ଥିବା ଏକ ଟେବୁଲ୍‌ରେ ବସିଥିଲେ। ଅଚାନକ ନିଆଁ ଓ ଧୂଆ ବ୍ୟାପିଯିବାରୁ କେହି କାହାକୁ ଦେଖିପାରିନଥିଲେ। ଦୁଇ ଭାଇ ତୁରନ୍ତ ତଳ ମହଲାକୁ ଯିବାପରେ ସେମାନଙ୍କ ସହ ଖୁଡ଼ି ନଥିବା ଜାଣିପାରି ସେମାନେ ପୁଣିଥରେ ପବ୍‌କୁ ଯାଇଥିଲେ, କିନ୍ତୁ ଆଉ ଫେରି ପାରିଲେନି। ଅଗ୍ନି ନିର୍ବାପକ କର୍ମଚାରୀମାନେ ଧାରିୟା ଏବଂ ବିଶ୍ୱଙ୍କ ମୃତହେଦ ପବ୍‌ର ଓ୍ଵାସରୁମ୍‌ରୁ ଉଦ୍ଧାର କରିଛନ୍ତି।

ସମ୍ବନ୍ଧିତ ଖବର