‘କଂଗ୍ରେସ ପାଇଁ କାମ କରିଥିଲା କେମ୍ବ୍ରିଜ ଆନାଲିଟିକା’

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଓ ତମାମ୍‌ ସୋସିଆଲ ମିଡିଆରୁ ଲୋକଙ୍କ ତଥ୍ୟ ଚୋରି ମାମଲାରେ  ନୂଆ ତଥ୍ୟ ହୋଇଛି। ବିଶ୍ୱବାସୀଙ୍କୁ ଏହି ତଥ୍ୟ ଚୋରି ସମ୍ପର୍କରେ ଅବଗତ କରାଇଥିବା କେମ୍ବ୍ରିଜ ଆନାଲିଟିକାର ପୂର୍ବ କର୍ମଚାରୀ ଖ୍ରୀଷ୍ଟୋଫର ଓ୍ଵିଲି କହିଛନ୍ତି ଯେ, ଭାରତରେ ଏହି ସଂସ୍ଥାର ବଡ଼ଧରଣର ବ୍ୟବସାୟ ରହିଛି। ଦେଶର ସର୍ବ ପୂରାତନ ରାଜନୈତିକ ଦଳ କଂଗ୍ରେସ ମଧ୍ୟ ଏହି କମ୍ପାନିରୁ ସେବା ଗ୍ରହଣ କରିଥିବା ସେ ଦାବି କରିଛନ୍ତି। ଭାରତରେ ଏହି କମ୍ପାନସର କାର୍ଯ୍ୟାଳୟ ରହିଥିବା ବେଳେ କଂଗ୍ରେସ ଦଳ ଏହାର ଗ୍ରାହକ ବୋଲି ଖ୍ରୀଷ୍ଟୋଫର ଆଜି ବ୍ରିଟେନ ସଂସଦରେ କହିଛନ୍ତି।
ବ୍ରିଟେନ୍‌ ସଂସଦରେ ଫେସ୍‌ବୁକ୍‌ ସିିଇଓ ମାର୍କ ଜୁକରବର୍ଗଙ୍କୁ ମଧ୍ୟ ହାଜର ହେବାର ଥିଲା। କିନ୍ତୁ ସେ ଆସିବାକୁ ମନା କରିଦେଇଥିଲେ। ଓ୍ଵିଲିଙ୍କ ଏହି ମନ୍ତବ୍ୟ ପରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଗୁଜରାଟ ନିର୍ବାଚନରେ କଂଗ୍ରେସ ଏହି କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବ୍ଲୁ ପ୍ରିଣ୍ଟ ମୁତାବକ ନିର୍ବାଚନ ପ୍ରଚାର କରିଥିଲା। ତେଣୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ରବିଶଙ୍କର ଦାବି କରିଛନ୍ତି। ସେପଟେ କଂଗ୍ରେସ ମୁଖପାତ୍ର ରଣଦୀପ୍‌ ସୁର୍ଜେଓ୍ଵାଲା ଏକ ସାମ୍ବାଦିକ ସମ୍ମିଳନୀ କରି ରବିଶଙ୍କର ପ୍ରସାଦଙ୍କୁ ମିଛୁଆ କହିବା ସହ ପ୍ରମାଣ ମାଗିଛନ୍ତି। କଂଗ୍ରେସ ବିରୋଧରେ ମାମଲା ଦାଏର କରି ଯାଞ୍ଚ କରିବାକୁ ସେ ଆହ୍ଵାନ ଦେଇଛନ୍ତି। ଫେସ୍‌ବୁକ୍‌ ଓ ସୋସିଆଲ ମିଡ଼ିଆର ପ୍ରାୟ ୫କୋଟି ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ତଥ୍ୟ ଚୋରି ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି।

ସମ୍ବନ୍ଧିତ ଖବର