କମଲ ହାସନଙ୍କ ନୂଆ ରାଜନୈତିକ ଦଳ ଏମ୍‌ଏନ୍‌ଏମ୍‌

ଚେନ୍ନାଇ: ୬ ବର୍ଷ ବୟସରୁ ଅଭିନୟରେ ପାଦଥାପି ସଫଳତା ପାଇଥିବା ସୁପରଷ୍ଟାର କମଲ ହାସନ ଆଜି ତାଙ୍କର ନୂଆ ରାଜନୈତିକ ଦଳ ଗଢିଛନ୍ତି। କମଲଙ୍କ ଏହି ନୂତନ ରାଜନୈତିକ ଦଳର ନାମ ରହିଛି ମକ୍କଲ ନିଧି ମାୟମ(ଏମ୍‌ଏନ୍‌ଏମ୍‌)। ମଦୁରାଇର ଓଥାକଡ଼ାଇରେ ଆଜି କମଲ ଏହି ଦଳର ସଙ୍କେତ ଓ ପତାକା ଉନ୍ମୋଚନ କରିବା ସହ ଦଳର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିତିଲେ। ଏହି ସମାବେଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ତାମିଲ ଭାଷାରେ ମକ୍କଲ ନିଧି ମାୟମର ଅର୍ଥ ହେଉଛି ଜନତାଙ୍କ ନ୍ୟାୟର କେନ୍ଦ୍ର। କମଲଙ୍କ ଦଳୀୟ ପତାକାରେ ପାଞ୍ଚଟି ହାତର ମଣିବନ୍ଧ ପରସ୍ପରକୁ ଚକ୍ରାକାରରେ ଧରିଥିବା ବେଳେ ମଝିରେ ଏକ ତାରକାର ଚିତ୍ର ରହିଛି। ଆଜି ସକାଳୁ କମଲ ରାମେଶ୍ୱରମସ୍ଥିତ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ.ଅବଦୁଲ କଲାମଙ୍କ ବାସଭବନ ଯାଇ ସେଠାରେ ତାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ଏହାପରେ କଲାସ୍‌ ସ୍ମାରକୀ ଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରିବା ପରେ ପାରାମାକୁଡ଼ି ଯାଇ ଲୋକଙ୍କୁ ସମ୍ବୋଧନ କରିବା ସହ ନିଜ ରାଜୈନତିକ ଜୀବନର ଯାତ୍ରା ଆରମ୍ଭ କରିଛନ୍ତି। ତାମିଲନାଡ଼ୁରେ ସବୁଠୁ ଦୟନୀୟ ସ୍ଥିତିରେ ରହୁଥିବା ମତ୍ସ୍ୟଜୀବୀ ପରିବାରଙ୍କୁ ମଧ୍ୟ ଭେଟି କମଲ ସେମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ନିଜ ଜନ୍ମସ୍ଥଳୀ ପାରାମାକୁଡ଼ି ଯାଇ ସେଠାରେ ଲୋକଙ୍କୁ ସମ୍ବୋଧନ କରିବା ସହ କମଲ ରୋଡ଼ ସୋ’ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର