କମଲେଶ ତିୱାରୀଙ୍କ ହତ୍ୟା ମାମଲା: ପରିବାର ସଦସ୍ୟଙ୍କୁ ଭେଟିଲେ ଯୋଗୀ, ମାଷ୍ଟର୍‌ମାଇଣ୍ଡ୍‌ ଦୁଇମାସ ପୂର୍ବେ ଦୁବାଇରୁ ସୁରଟ ଆସିଥିଲା

ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟି ମୁଖ୍ୟ କମଲେଶ ତିୱାରୀଙ୍କ ହତ୍ୟା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଯୋଗୀ ତାଙ୍କ ସରକାରୀ ବାସଭବନରେ କମଲେଶଙ୍କ ମାଆ, ପତ୍ନୀ ଏବଂ ତିନି ପୁଅଙ୍କ ସହିତ ୩୦ ମିନିଟ୍ ଧରି ଆଲୋଚନା କରିଛନ୍ତି। ବୈଠକ ପରେ କମଲେଶଙ୍କ ପତ୍ନୀ କିରନ୍ ତିୱାରୀ କହିଛନ୍ତି, ତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ପ୍ରତିଶ୍ରୁତି ଦେଇଛନ୍ତି। ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଦୋଷୀମାନଙ୍କୁ ଦଣ୍ଡିତ କରାଯିବା ନେଇ ଯୋଗୀ ପ୍ରତିଶ୍ରୁତି ଦେଇଥିଲେ ବୋଲି କିରନ୍ କହିଛନ୍ତି। ତେବେ କମଲେଶଙ୍କ ମାଆ କୁସୁମ ଶନିବାର ଅଭିଯୋଗ କରିଥିଲେ ତାଙ୍କ ପୁଅକୁ ଜଣେ ସ୍ଥାନୀୟ ବିଜେପି ନେତା ଶିବ କୁମାର ଗୁପ୍ତା ହତ୍ୟା କରିଛନ୍ତି। ଗାଁରେ ଗୋଟିଏ ମନ୍ଦିରର ଜମି ବିବାଦକୁ ନେଇ ଏହି ହତ୍ୟା କରାଯାଇଛି। ସେହିଭଳି ଅଖିଳେଶ ସରକାରଙ୍କ ଅମଳରେ ତାଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ଯୋଗୀ ସରକାରଙ୍କ ଅମଳରେ ଏହାକୁ କମାଇ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ରବିବାର ୟୁପି ଡିଜି ଶ୍ରୀ ସିଂହ କହିଛନ୍ତି, ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।

ମାଷ୍ଟର୍‌ମାଇଣ୍ଡ୍‌ ଦୁଇମାସ ପୂର୍ବେ ଦୁବାଇରୁ ସୁରଟ ଆସିଥିଲା
ଅହମ୍ମଦାବାଦ: ହିନ୍ଦୁ ସମାଜ ପାର୍ଟିର ପ୍ରତିଷ୍ଠାତା ନେତା କମଲେଶ୍ ତିୱାରୀଙ୍କ ହତ୍ୟା ମାମଲାର ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ଦୁଇ ମାସ ପୂର୍ବେ ଦୁବାଇରୁ ସୁରଟ ଆସିଥିଲେ। ଦୁବାଇର ଏକ ଦୋକାନରେ ସେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଦୁଇ ମାସ ପୂର୍ବେ ସେ ଏକ ପାରିବାରିକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୁରଟ ଆସିଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ରସିଦ୍ ପଠାନ୍ ନାମକ ଏହି ୨୩ ବର୍ଷୀୟ ଯୁବକଙ୍କ ସମେତ ତାଙ୍କ ପଡ଼ୋଶୀ ଫଇଜାନ୍(୨୧) ଏବଂ ମୌଲାନା ସଲିମ୍ ଶେଖ୍‌(୨୪)କୁ ଗୁଜରାଟ ଏଟିଏସ ଶନିବାର ଗିରଫ କରି ଅହମ୍ମଦାବାଦ ନେଇଛି। ଉତ୍ତର ପ୍ରଦେଶର ପୁଲିସ ମହାନିର୍ଦ୍ଦେଶ ଓ ପି ସିଂହ କହିଛନ୍ତି, ୨୦୧୫ରେ କମଲେଶ ମୁସଲିମ୍‌ମାନଙ୍କ ବିରୋଧରେ ଦେଇଥିବା ଉତ୍ତେଜନାମୂଳକ ଭାଷଣର ଭିଡିଓକୁ ସେ ଅନ୍ୟ ୪ ଜଣ ସହଅଭିଯୁକ୍ତଙ୍କୁ ଦେଖାଇଥିଲେ। ରସିଦ୍ ହତ୍ୟା ଯୋଜନା ରଚିଥିବାବେଳେ ଫଇଜାନ୍ ସୁରଟର ଏକ ଦୋକାନରୁ ମିଠା କିଣିଥିଲା ବୋଲି ଡିଜିପି ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର