ରାତି ୩.୧୬ରେ ସିୟାଲଦହରେ ପହଞ୍ଚିଲା ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌

କୋଲକାତା: ସୋମବାର ଦିନ ଅଗରତାଲାରୁ ସିୟାଲଦହ ଆସୁଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌କୁ ପଛପଟୁ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେବାରୁ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଟ୍ରେନ୍‌ଟି ଦୁର୍ଘଟଣା ପରେ ରାତି ୩.୧୬ରେ ସିୟାଲଦହରେ ପହଞ୍ଚିଛି ବୋଲି ଭିଜୁଆଲ୍‌ରୁ ଦେଖିବାକୁ ମିଳିିଛି। ଟ୍ରେନ୍‌ଟି ଯିବା ପରେ ଦୁର୍ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଜାରି ରହିଛି।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ତାହାର ବର୍ଷକ ପରେ ଏହି ଦୁର୍ଘଟଣା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ସଦ୍ୟତମ ଯୁକ୍ତିର ବିଷୟ ପାଲଟିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ନିନ୍ଦା କରି ରେଳବାଇ ପ୍ରତି ସରକାରଙ୍କ ଅବହେଳା ମନୋଭାବକୁ ଦର୍ଶାଇଛନ୍ତି। ମମତା କହିଛନ୍ତି ଯେ ସେ ରେଳବାଇକୁ ଅଣଦେଖା କରି କେବଳ ‘ବନ୍ଦେ ଭାରତ’ ଟ୍ରେନ୍‌ର ପ୍ରଚାରରେ ଲାଗିଛନ୍ତି।

କାଞ୍ଚନଜଙ୍ଘା ଏକ୍ସପ୍ରେସର ପଛପଟ ପାର୍ସଲ କମ୍ପାର୍ଟମେଣ୍ଟକୁ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେଇଥିବାରୁ ଏତେବଡ଼ ଦୁର୍ଘଟଣା ସତ୍ତ୍ବେ ମୃତାହତଙ୍କ ସଂଖ୍ୟା ଆପାତତଃ କମ୍‌ ରହିଛି।

ସୂଚନାନୁସାରେ, କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ ତ୍ରିପୁରା ରାଜଧାନୀ ଅଗରତାଲାରୁ ପଶ୍ଚିମବଙ୍ଗର ସିୟାଲଦହକୁ ନିୟମିତ ଚଳାଚଳ କରିଥାଏ। ନିର୍ଦ୍ଧାରିତ ସମୟାନୁସାରେ, ଅଗରତାଲାରୁ ୧୬ ତାରିଖ ସକାଳ ୮ଟାରେ ବାହାରିଥିଲା। ସେହିଦିନ ସକାଳ ୧୧ଟାରେ ଗୁଆହାଟି ଷ୍ଟେସନ୍‌ରେ ପହଞ୍ଚିଥିଲା। ଦାର୍ଜିଲିଂ ଜିଲ୍ଲା ନ୍ୟୁଜଲପାଇଗୁଡ଼ି ନିକଟ ରଙ୍ଗାପାଣି ଷ୍ଟେସନ୍‌ ଠାରୁ ୮ କିମି ଦୂରରେ କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ଟି ଠିଆ ହୋଇଥିଲା। ପ୍ରାୟ ୯ଟା ବେଳେ ଏକ ମାଲବାହୀ ଟ୍ରେନ୍‌ ସିଗ୍‌ନାଲ୍‌ ଖୁଣ୍ଟ ଅତିକ୍ରମ କରି ପଛପଟୁ ‌ଧକ୍କା ଦେଇଥିଲା। ଫଳରେ ମାଲବାହୀ ଟ୍ରେନ୍‌ର ଇଂଜିନ୍‌ ଉପରକୁ କାଞ୍ଚନଜଙ୍ଘାର ପଛପଟର ଗୋଟିଏ ପାର୍ସଲ ବଗି ଉଠିଯାଇଥିଲା। ଅନ୍ୟ ଏକ ପାର୍ସଲ୍‌ ବଗି ଓ ଯାତ୍ରୀବାହୀ ବଗି ରେଳଧାରଣା ତଳକୁ ଖସିପଡ଼ିଥିଲା। ଯାତ୍ରୀବାହୀ ବଗିଟି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ତେବେ ଦୁର୍ଘଟଣାର କିଛି ସମୟ ପରେ କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ ନୂଆ ଜଲପାଇଗୁଡ଼ି ଷ୍ଟେସନ୍‌ରେ ପହଞ୍ଚି ସେଠାରୁ କୋଲକାତା ଅଭିମୁଖେ ଯାତ୍ରା କରିଥିଲା।

ସମ୍ବନ୍ଧିତ ଖବର