ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିବାଦୀୟ ଚଳଚ୍ଚିତ୍ର ‘ଇମର୍ଜେନ୍ସି’ର ମୁକ୍ତିଲାଭ ଉପରେ ରୋକ୍ ଲଗାଇବା ପାଇଁ ଦାବିକରି ହୋଇଥିବା ଆବେଦନର ଶୁଣାଣି ଶନିବାର ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ହୋଇଛି। ସେପଟେ ସେନ୍ସର ବୋର୍ଡ କୋର୍ଟରେ ଜବାବ ରଖିଛି ଯେ ଫିଲ୍ମକୁ ଏପର୍ଯ୍ୟନ୍ତ ସାର୍ଟିଫିକେଟ୍ ଦିଆଯାଇନାହିଁ। ଫିଲ୍ମକୁ ନେଇ ଅନେକ ଅଭିଯୋଗ ଆସିଛି । ଅଭିଯୋଗ ଶୁଣିବା ପରେ ହିଁ ଫିଲ୍ମକୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଇମର୍ଜେନ୍ସି’କୁ ପଞ୍ଜାବରେ ବିରୋଧ କରାଯାଉଛି। ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି। ଏହାବ୍ୟତୀତ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ସିଜିପିସି)କଙ୍ଗନା ରାଣାୱତଙ୍କୁ ଆଇନଗତ ନୋଟିସ୍ ମଧ୍ୟ ପଠାଇଛି। 

Advertisment

କଙ୍ଗନାଙ୍କ ଫିଲ୍ମ ଇମର୍ଜେନ୍ସି ସେପ୍ଟେମ୍ବର ୬ରେ  ରିଲିଜ ହେବାକୁ ଥିବା ବେଳେ ଏବେ ସେନ୍ସର ବୋର୍ଡର ଏଭଳି  ଉତ୍ତର ପରେ ଫିଲ୍ମର ରିଲିଜ ଅଟକି ଯାଇପାରେ। ଏହି ଫିଲ୍ମରେ  ଶିଖ୍‌ମାନଙ୍କୁ ଭୁଲ ଭାବେ ଉପସ୍ଥାପନ କରାଯାଉଥିବାରୁ ଏହାକୁ ବିରୋଧ କରାଯାଉଛି  ବୋଲି ସିଜିପିସି କହିଛି। ଏହା ଶିଖ୍ ସମ୍ପ୍ରଦାୟ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି କୁହାଯାଇଛି। ଅନ୍ୟପକ୍ଷରେ କଙ୍ଗନା ରାଣାୱତ ଗତକାଲି ଏକ ଭିଡିଓ ଜାରି କରି ତାଙ୍କ ଫିଲ୍ମର ସେନ୍ସର ସାର୍ଟିଫିକେଟକୁ ବିନା କାରଣରେ ଅଟକାଇ ରଖାଯାଇଥିବା ଅଭିଯୋଗ କରିଥିଲେ । କଙ୍ଗନା କହିଥିଲେ ଯେ ସେନ୍ସର ବୋର୍ଡକୁ ଧମକ ମିଳୁଛି ଏବଂ ତାଙ୍କ ଫିଲ୍ମର ରିଲିଜ ଉପରେ ରୋକ୍‌ ଲଗାଇବାକୁ ପଞ୍ଜାବ ସରକାର ପ୍ରୟାସ କରୁଛନ୍ତି।