କଙ୍ଗନାଙ୍କ ଟାର୍ଗେଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍; କହିଲେ; ବାଇଡେନ୍ ଆମେରିକାର ରାଷ୍ଟ୍ରପତି ନା ଚୀନର ରାଷ୍ଟ୍ରଦୂତ

ନୂଆଦିିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଜୋ ବାଇଡେନ ଚୀନ ସହ ଆମେରିକାର ସଂପର୍କ ମଜବୁତ କରିବା ପାଇଁ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ କଥା ହୋଇଥିଲେ । ଏହି କଥାବାର୍ତ୍ତା ବେଳେ ଉଭୟ ଦେଶର ଲୋକଙ୍କର ସୁରକ୍ଷା, ବିକାଶ, ସ୍ୱାସ୍ଥ୍ୟ ଓ ଜୀବିକାକୁ ସୁରକ୍ଷିତ କରିବା ନେଇ ଦୁଇ ରାଷ୍ଟ୍ର ମୁଖ୍ୟ ଆଲୋଚନା କରିଥିଲେ। ଏହା ସହ ସ୍ୱତନ୍ତ୍ର ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସଂରକ୍ଷିତ କରିବା ନେଇ ପ୍ରାଥମିକତା ଦେବାକୁ ସେମାନଙ୍କ ଭିତରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ବାଇଡେନ ଜିନପିଙ୍ଗଙ୍କୁ ଖୁବ ପ୍ରଶଂସା କରିଥିଲେ ।

ତେବେ ଏହାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏ ନେଇ କଙ୍ଗନା ଅନେକ ଟ୍ୱିଟ୍ କରି ଆମେରିକାର ରାଷ୍ଟ୍ରପତିଙ୍କୁ ଟାର୍ଗେଟ୍ କରିଛନ୍ତି । କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, ଦେଖନ୍ତୁ କିଭଳି ଭାବେ ଚୀନର ଆଜ୍ଞାକାରୀ ଗୃହପାଳିତ ପଶୁ ଲାଙ୍ଗୁଡ ହଲାଉଛନ୍ତି । ବାଇଡେନ୍ ଆମେରିକାର ରାଷ୍ଟ୍ରପତି ନା ଚୀନର ରାଷ୍ଟ୍ରଦୂତ ବୋଲି ଟୁଇଟ କରି ସେ ବାଇଡେନଙ୍କୁ ଆକ୍ଷେପ କରିଛନ୍ତି । ଏବେ ଚୀନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେବାକୁ ଯାଉଛି । ଚୀନର ଏଭଳି ଅଭିବୃଦ୍ଧି ପଛରେ ଆମେରିକାର ହାତ ରହିଛି ବୋଲି ଟୁଇଟ କରିଛନ୍ତି କଙ୍ଗନା ।

କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି । କିଛି ଦିନ ତଳେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିବାଦୀୟ ଟ୍ୱିଟ କରି ଲୋକ ଲୋଚନକୁ ଆସିଥିଲେ । ଏ ନେଇ ମହାରାଷ୍ଟ୍ର ସରକାରଙ୍କ ସହ ତାଙ୍କର ବାକ୍ୟଯୁଦ୍ଧ ଦେଶର ରାଜନୀତିକୁ ସରଗରମ କରିଥିଲା । ଏହାପରେ କୃଷକ ଆନ୍ଦୋଳନକୁ ନେଇ ସେ କରିଥିବା ଟ୍ୱିଟ୍ ବେଶ୍ ଚର୍ଚ୍ଚିତ ହୋଇଥିଲା । ଆନ୍ଦୋଳନରତ କୃଷକମାନଙ୍କୁ ଦେଶଦ୍ରୋହୀ, ଖଲିସ୍ଥାନୀ ଓ ଟୁକଡେ ଟୁକଡେ ଗ୍ୟାଙ୍ଗ କହିବା ପରେ ଚାରିଆଡୁ ସମାଲୋଚନାର ଶିକାର ହୋଇଥିଲେ କଙ୍ଗନା । ଏବେ ଜାତୀୟ ନୁହେଁ ଆନ୍ତର୍ଜାତୀୟ ରାଜନୀତିରେ କଙ୍ଗନାଙ୍କ ମତମନ୍ତବ୍ୟ ତାଙ୍କୁ ବିବାଦ ଭିତରକୁ ଟାଣି ନେବନି ତ ?

ସମ୍ବନ୍ଧିତ ଖବର