ମୁମ୍ବାଇ: ଗୁରୁବାର ଦିନ ହେବାକୁ ଥିବା ଆସ୍ଥାଭୋଟର ସମ୍ମୁଖୀନ ହେବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଛି । ଉଦ୍ଧବଙ୍କ ଇସ୍ତଫା ପରେ ତାଙ୍କ ଉପ‌ରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିଶାପ ପଡ଼ିଥିବା କହିଛନ୍ତି ଲୋକେ। ୨୦୨୦ରେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମସି ବେଆଇନ ବୋଲି କହି ଭାଙ୍ଗିଦେଇଥିଲା।

Advertisment

ଏଭଳି ଘଟଣା ପରେ କଙ୍ଗନା କହିଥିଲେ ଯେ, ଆଜି ମୋର ଘର ଭାଙ୍ଗିଛି, କାଲି ଆପଣଙ୍କ ଗର୍ବ ଭାଙ୍ଗିବ। କଙ୍ଗନାଙ୍କ ଏହି କଥା ଏବେ ସତ ହୋଇଥିବା କଥା ଲୋକେ କହିବା ସହ ଉଦ୍ଧବଙ୍କ ଗର୍ବ ଭାଙ୍ଗିଯାଇଥିବା କହିଛନ୍ତି। ସୋସିଆଲ ମିଡିଆରେ ଏନେଇ ଅନେକ ପୋଷ୍ଟ କରାଯାଇଥିବା ବେଳେ କଙ୍ଗନାଙ୍କ ପୁରୁଣା ଭିଡିଓ ବି ସେୟାର କରୁଛନ୍ତି ଲୋକେ।

ଏମଧ୍ୟରେ ଉଦ୍ଧବଙ୍କ ଇସ୍ତଫା ପରେ କଙ୍ଗନା ଆଉ ଏକ ଭିଡିଓ ଜାରି କରି ଉଦ୍ଧବଙ୍କୁ ଟା‌‌ର୍ଗେଟ କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ, ଗଣତନ୍ତ୍ର ହେଉଛି ଏକ ବିଶ୍ୱାସ। ଯିଏ କ୍ଷମତାର ଗର୍ବରେ ଏହି ବିଶ୍ୱାସକୁ ଭାଙ୍ଗେ, ତା’ର ଗର୍ବ ଭାଙ୍ଗିବା ସୁନିଶ୍ଚିତ। ହନୁମାନଜୀଙ୍କୁ ଶିବଙ୍କର ଦ୍ୱାଦଶ ଅବତାର ବୋଲି ବିବେଚନା କରାଯାଏ। ହେଲେ ଶିବସେନା ହିଁ ହନୁମାନ ଚାଳିଶା ପାଠକୁ ନିଷିଦ୍ଧ କରିଥିଲା, ଯାହାର ପରିଣାମ ଆଜି ସେ ଭୋଗୁଛନ୍ତି। ହର ହର ମହାଦେବ। ଜୟ ହିନ୍ଦ ଜୟ ମହାରାଷ୍ଟ୍ର।