ସ୍ବାଧୀନତା ପରେ ଏବେ ମହାତ୍ମା ଗାନ୍ଧୀଙ୍କୁ ନେଇ କଙ୍ଗନାଙ୍କ ବିବାଦୀୟ ବୟାନ, କହିଲେ; ମହାତ୍ମା କ୍ଷମତାର ଆଶାୟୀ ଥିଲେ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ଇନଷ୍ଟାଗ୍ରାମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଏପରି କିଛି ପୋଷ୍ଟ କରିଛନ୍ତି ଯାହାକୁ ନେଇ ପୁଣି ବିବାଦ ବଢିଛି ।

ଦେଶର ସ୍ୱାଧୀନତା ଉପରେ କଟୁ ମନ୍ତବ୍ୟ ଦେଇ ବିବାଦକୁ ଆସିବା ପରେ ଏବେ ପୁଣି ସେ ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଇନଷ୍ଟାଗ୍ରାମରେ ଏକ ଖବରକାଗଜର କଟିଙ୍ଗ ପୋଷ୍ଟ କରିବା ସହ ସେ ଲେଖିଛନ୍ତି ଯେ, ଆପଣ ଗାନ୍ଧୀଙ୍କ ପ୍ରଶଂସକ ହୋଇଥିବେ ନଚେତ୍ ନେତାଜୀଙ୍କ ସମର୍ଥକ ହୋଇଥିବେ । ହେଲେ ଦୁଇ ଜଣଙ୍କୁ ଏକାସାଙ୍ଗରେ କେବେବି ସମର୍ଥନ କରିପାରିବେ ନାହିଁ । ମହାତ୍ମା କ୍ଷମତାର ଆଶାୟୀ ଥିଲେ । ସେ ଭାରି ଚାଲାକ ଥିଲେ। ତାଙ୍କର ଏପରି ମନ୍ତବ୍ୟ ପରେ କଂଗ୍ରେସ ନେତା କଙ୍ଗନାଙ୍କୁ କଡା ସମାଲୋଚନା କରିଛନ୍ତି ।

Zenger News

ପ୍ରଥମେ ସେ ଲେଖିଛନ୍ତି ଯେ, ଯେଉଁମାନେ ସ୍ୱାଧୀନତା ପାଇଁ ଲଢିଥିଲେ ସେମାନଙ୍କୁ ଏ ‌ଲୋକମାନେ ସେମାନଙ୍କ ମାଲିକମାନଙ୍କ ହାତରେ ଟେକିଦେଲେ । କାରଣ ସେମାନଙ୍କର ଅତ୍ୟାଚାରୀଙ୍କ ସହ ଲଢିବାର ସାହସ ନଥିଲା। ଏ ‌ଲୋକମାନେ କ୍ଷମତାର ଭୋକିଲା ଏବଂ ଚାଲାକ ଥିଲେ । ସେମାନେ ହିଁ ଆମକୁ ଶିଖାଇଥିଲେ ଯେ ଯଦି କେହି ଆପଣଙ୍କୁ ଗୋଟିଏ ଗାଲରେ ଚାପୁଡ଼ା ମାରେ, ତାକୁ ଆଉ ଗୋଟେ ଗାଲ ଦେଖାଇଦିଅ । ଏଭଳି କଲେ ସ୍ୱାଧୀନତା ମିଳିଯିବ। ଏହି ଉପାୟରେ ପାଇଥିବା ସ୍ୱାଧୀନତା ସ୍ୱାଧୀନତା ନୁହେଁ ବରଂ ଭିକ । ତେଣୁ ନିଜର ହିରୋକୁ ବୁଦ୍ଧିମାନର ସହ ବାଛନ୍ତୁ।”

ତାଙ୍କର ଦ୍ୱିତୀୟ ପୋଷ୍ଟରେ କଙ୍ଗନା ରାଣାୱତ ଲୋକଙ୍କୁ ଇତିହାସ ବିଷୟରେ ଜାଣିବାକୁ ଅନୁରୋଧ କରିବା ସହ ଲେଖିଛନ୍ତି ଯେ, ଗାନ୍ଧୀଜୀ ଚାହୁଁଥିଲେ ଯେ ଭଗତ ସିଂଙ୍କୁ ଫାଶୀ ଦିଆଯାଉ। ଗାନ୍ଧୀଜୀ, ଭଗତ ସିଂ ଏବଂ ନେତାଜୀଙ୍କୁ କେବେ ସମର୍ଥନ କରିନାହାଁନ୍ତି। ଅନେକ ପ୍ରମାଣ ଅଛି ଯାହା ପ୍ରମାଣ କରୁଛି ଯେ ଗାନ୍ଧୀଜୀ ଭଗତ ସିଂଙ୍କୁ ଫାଶୀ ଦେବାକୁ ଚାହୁଁଥିଲେ। ତେଣୁ ଅପଣଙ୍କୁ ଅତି ଦୃଢତାର ସହ ଏହି ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ନିଜର ହିରୋ ଭାବେ ବାଛିବାକୁ ପଡିବ । ଲୋକଙ୍କୁ ନିଜ ଇତିହାସ ଓ ନିଜ ହିରୋଙ୍କ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ । ନଚେତ୍ ଏହା ଅତି ଦାୟିତ୍ୱହୀନତା ବୋଲି କୁହାଯିବ ନିଶ୍ଚୟ।”

ସମ୍ବନ୍ଧିତ ଖବର