ଟିଭି ବିତର୍କରେ କଙ୍ଗାରୁ କୋର୍ଟ, କ୍ଷୋଭ ପ୍ରକାଶ କଲେ ପ୍ରଧାନ ବିଚାରପତି

ସାମାଜିକ ଗଣମାଧ୍ୟମ ଅବସ୍ଥା ଅଧିକ ଖରାପ, ଛାପା ଗଣମାଧ୍ୟମ ତା’ର ଉତ୍ତରଦାୟିତ୍ବ ଅନେକାଂଶରେ ପାଳନ କରୁଛି

ନୂଆଦିଲ୍ଲୀ : ଟିଭି ବିତର୍କରେ କଙ୍ଗାରୁ କୋର୍ଟ ଚାଲୁଛି। ସାମାଜିକ ଗଣମାଧ୍ୟମ ମଧ୍ୟ ଏଭଳି କୋର୍ଟ ଚଳାଇଛନ୍ତି। ସେମାନଙ୍କର ଏଭଳି ଆଚରଣ ଦେଶକୁ ପଛକୁ ଠେଲି ଦେଉଛି। ଏମିତି କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣା। ‌ତେବେ ଏକ୍ଷେତ୍ରରେ ଛାପା ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରି ସେ କହିଛନ୍ତି ‌ଯେ ଏମାନେ ନିଜର ଉତ୍ତରଦାୟିତ୍ବ ପାଳନ କରୁଛନ୍ତି।

ବିଜେପିର ପୂର୍ବତନ ବିବାଦୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସଂପର୍କରେ ସୁପ୍ରିମ କୋର୍ଟଙ୍କ ଟିପ୍ପଣୀକୁ ନେଇ ବିଭିନ୍ନ ଟିଭି ଏବଂ ସାମାଜିକ ଗଣମାଧ୍ୟମରେ ବିଚାରପତିଙ୍କୁ ସମାଲୋଚନା ଯୋଗୁଁ ଏକ ପ୍ରକାର ବିଷାକ୍ତ ପରିବେଶ ସୃଷ୍ଟି ହୋଇଥିଲା। ସେହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତିଙ୍କ ଏହି ମନ୍ତବ୍ୟ ବିଶେଷ ଗୁରୁତ୍ବ ବହନ କରୁଛି। ସୂଚନାଯୋଗ୍ୟ ଯେ ନୂପୁରଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ବିଭିନ୍ନ ସ୍ଥାନରେ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା।
ରାଞ୍ଚିଠାରେ ଆଜି ଏକ ଶିକ୍ଷା ବିଭାଗୀୟ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ବେଳେ ଜଷ୍ଟିସ୍ ରମଣା କହିଲେ ଯେ ସାମାଜିକ ଗଣମାଧ୍ୟମରେ ବିଚାରପତିମାନଙ୍କ ବିରୋଧରେ ସମ୍ମିଳିତ ଅପପ୍ରଚାର ଅଭିଯାନ ଚାଲିଛି। ଏହା ଉପରେ ବିଚାରପତିମାନେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁ ନାହାନ୍ତି। ଦୟାକରି ଏହାକୁ ବିଚାରପତିମାନଙ୍କର ଦୁର୍ବଳତା ବା ଅସହାୟତା ବୋଲି ଭାବନ୍ତୁ ନାହିଁ। ପ୍ରଚାର ଓ ପ୍ରସାର ପାଇଁ ଗଣମାଧ୍ୟମର କ୍ଷମତା ରହିଛି। କିନ୍ତୁ ଏହି ଗଣମାଧ୍ୟମ ଠିକ୍ ଓ ଭୁଲ୍, ଭଲ ଓ ମନ୍ଦ ଏବଂ ଅସଲି ଓ ନକଲି ମଧ୍ୟରେ ପ୍ରଭେଦ ଜାଣି ପାରୁନାହିଁ।

The Indian Express

ପ୍ରଧାନ ବିଚାରପତି କହିଲେ ଯେ ମିଡ଼ିଆ ଟ୍ରାଏଲ (ଗଣମାଧ୍ୟମରେ ବିଚାର) କେବେହେଲେ କୌଣସି ମାମଲାର କୋର୍ଟ ପାଇଁ ଗାଇଡିଂ ଫ୍ୟାକ୍ଟର (ମାର୍ଗଦର୍ଶକ) ହୋଇ ନ ପାରେ। ଆମେ ଦେଖୁଛୁ ଅନେକ ସମୟରେ ଗଣମାଧ୍ୟମରେ କଙ୍ଗାରୁ କୋର୍ଟ ଚାଲୁଛି। ଯେଉଁ ପ୍ରସଙ୍ଗରେ ଅଭିଜ୍ଞ ବିଚାରପତିମାନଙ୍କ ପକ୍ଷେ ବି ନିଷ୍ପତ୍ତି ନେବା କଷ୍ଟକର ହୋଇଥାଏ, ସେଭଳି ପ୍ରସଙ୍ଗରେ ଏମାନେ ନିଜ ନିଷ୍ପତ୍ତି ଶୁଣାଇବାକୁ ପଛାନ୍ତି ନାହିଁ। ଏଭଳି ଗଣମାଧ୍ୟମକୁ ସମାଲୋଚନା କରି ଜଷ୍ଟିସ ରମଣା କହିଛନ୍ତି ‌ଯେ ସେମାନଙ୍କ ପାଖରେ ଠିକ୍ ସୂଚନା ନଥାଏ। ସେମାନେ ନିର୍ଦ୍ଦିଷ୍ଟ ଏଜେଣ୍ଡା ଦ୍ବାରା ପରିଚାଳିତ ହେଉଛନ୍ତି। ଏଭଳି ବିତର୍କଗୁଡ଼ିକ ଗଣତନ୍ତ୍ରର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ପକ୍ଷପାତପୂର୍ଣ୍ଣ ଚିନ୍ତାଧାରା ଗଣମାଧ୍ୟମରେ ପ୍ରସାରିତ ହେଲେ ତାହା ଗଣତନ୍ତ୍ରକୁ ଦୁର୍ବଳ କରିବ ଏବଂ ବ୍ୟବସ୍ଥାର କ୍ଷତି କରିବ। ନ୍ୟାୟ ପ୍ରଦାନ ପ୍ରକ୍ରିୟା ପ୍ରତିକୂଳ ଭାବେ ପ୍ରଭାବିତ ହେବ। ସୀମା ଅତିକ୍ରମ କରିବା ଏବଂ ନିଜ ଦାୟିତ୍ବରୁ ବିଚ୍ୟୁତ ହେବା ଦ୍ବାରା ଆପଣମାନେ ଆମ ଗଣତନ୍ତ୍ରକୁ ଦୁଇ ପାହୁଣ୍ଡ ପଛକୁ ଟାଣୁଛନ୍ତି ବୋଲି ଜଷ୍ଟିସ୍ ରମଣା କହିଥିଲେ।

ତେବେ ଛାପା ଗଣମାଧ୍ୟମ ଏବେ ବି ନିଜର ଉତ୍ତରଦାୟିତ୍ବ ଅନେକାଂଶରେ ପାଳନ କରୁଛନ୍ତି ବୋଲି କହି ଜଷ୍ଟିସ ରମଣା ସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ଶୂନ୍ୟ ଉତ୍ତରଦାୟିତ୍ବ ପାଳନ କରୁଛନ୍ତି।

ଏମାନେ ଯାହା ଦେଖାଉଛନ୍ତି ସେଗୁଡ଼ିକ ଶୂନ୍ୟରେ କୁଆଡ଼େ ମିଳେଇଯାଉଛି। ସାମାଜିକ ଗଣମାଧ୍ୟମଗୁଡ଼ିକର ଅବସ୍ଥା ଆହୁରି ଖରାପ ବୋଲି ଜଷ୍ଟିସ୍ ରମଣା କହିଥିଲେ।

ସେ ଏହି ଗଣମାଧ୍ୟମକୁ ଆତ୍ମନିୟନ୍ତ୍ରଣ ପାଇଁ ପରାମର୍ଶ ଦେଇଥିଲେ। ଭାଷା ଉପରେ ମଧ୍ୟ ନିୟନ୍ତ୍ରଣ ରଖାଯାଉ। ଦାୟିତ୍ବ ସଂପନ୍ନ ହୋଇ ଆଚରଣ ପ୍ରଦର୍ଶନ କରିବା ଲାଗି ମୁଁ ଉଭୟ ଇଲେକଟ୍ରୋନିକ ଏବଂ ସାମାଜିକ ଗଣମାଧ୍ୟମକୁ ଅନୁରୋଧ କରୁଛି। ଲୋକଙ୍କୁ ଶିକ୍ଷା ଦେବା ସହିତ ଦେଶକୁ ଶକ୍ତି ପ୍ରଦାନ ପାଇଁ ଗଣମାଧ୍ୟମ ସେମାନଙ୍କ ସ୍ବରକୁ ବ୍ୟବହାର କରନ୍ତୁ ବୋଲି ପ୍ରଧାନ ବିଚାରପତି କହିଥ‌ିଲେ।

ସମ୍ବନ୍ଧିତ ଖବର