ପାଟ୍‌ନା: ନିର୍ବାଚନ ଯେତିକି ପାଖଉଛି ବିହାର ରାଜନୀତି ସେତିକି ସରଗରମ ହେଉଛି । ନିର୍ବାଚନ ମାହୋଲ ଚାଲିଥିବା ବେଳେ ଆରମ୍ଭ ହୋଇଯାଇଛି ପୋଷ୍ଟର ରାଜନୀତି । ପାଟଣାରେ କହ୍ନେୟା କୁମାରଙ୍କ ଏକ ପୋଷ୍ଟ ଲାଗିଛି । ଯେଉଁଥିରେ କହ୍ନେୟା କୁମାର ବିହାରର ଆଶା ଭରସା ବୋଲି ଲେଖାଯାଇଛି । ଏହି ପୋଷ୍ଟରକୁ ଏନ୍‌ଏସ୍‌ୟୁଆଇ ନେତା ଚୁନ୍ନୁ ସିଂ ଲଗାଇଥିବା ବେଳେ ଏହି ପୋଷ୍ଟରରେ, ରାହୁଲ ଗାନ୍ଧୀ, କହ୍ନେୟା କୁମାର, ପ୍ରଭାରୀ କୃଷ୍ଣ ଆଲ୍ଲାବରୁ ଏବଂ ବିହାର ନେତାଙ୍କ ଫଟୋ ରହିଛି । ଏଥିରୁ ଅନୁମାନ କରାଯାଉଛି ବିହାରରେ କହ୍ନେୟା କୁମାର ସକ୍ରିୟ ହୋଇପାରନ୍ତି ।

Advertisment

କହ୍ନେୟା କୁମାରଙ୍କୁ ବିଧାନସଭାରେ ବଡ ଦାୟିତ୍ୱ ମିଳିପାରେ । ଚଳିତ ମାସ ୧୬ ତାରିଖରୁ ବିହାରରେ ଯାତ୍ରା ଅରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି କହ୍ନେୟା କୁମାର । ଚୂଡାନ୍ତ ଅନୁମୋଦନ ପାଇଁ ମାର୍ଚ୍ଚ ୧୨ତାରିଖରେ ରାହୁଲ ଗାନ୍ଧୀଙ୍କୁ ଭେଟିପାରନ୍ତି କହ୍ନେୟା । ମାର୍ଚ୍ଚ ୧୨ ତାରିଖରେ ହିଁ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ। ଏନେଇ ବିହାର କଂଗ୍ରେସର ତୁଙ୍ଗ ନେତା, ରାହୁଲ ଗାନ୍ଧୀ ଓ ଖଡଗେଙ୍କ ମଧ୍ୟରେ ବୈଠକ ରହିଛି ।

ଏହା ଉପରେ ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, କିଏ କେଉଁ ପୋଷ୍ଟର ଲଗାଉଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ବିହାରର ଆଶା ଓ ଭରସା ହେଉଛନ୍ତି କେବଳ ତେଜସ୍ୱୀ ଯାଦବ । ବିହାରର ଲୋକମାନେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଜସ୍ୱୀ ଯାଦବଙ୍କ ଉପରେ ଲୋକଙ୍କ ଆଶୀର୍ବାଦ ରହିଛି । ଯେକୌଣସି ବ୍ୟକ୍ତି କାହାର ପୋଷ୍ଟର ଲଗାଇ ଆଶା ପ୍ରକାଶ କରିପାରିବେ । ଏଥିରେ କ୍ଷତି କ’ଣ? ଏଠାରେ ଗଣତନ୍ତ୍ର ଅଛି । ତେଜସ୍ୱୀ ଲୋକଙ୍କ ପାଇଁ କାମ କରି ଦେଖାଇଛନ୍ତି । ତେଣୁ ଲୋକଙ୍କ ଆଶା ତେଜସ୍ୱୀଙ୍କ ଉପରେ ରହିଛି। ନିର୍ବାଚନରେ ଏହା ପ୍ରତିଫଳିତ ହେବ ।