କନିକା କପୁରଙ୍କ ଘରକୁ ସିଲ୍‌ ନ କରିବା ପ୍ରସଙ୍ଗ : ବିବାଦରେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ

ଲକ୍ଷ୍ନୌ : ବଲିଉଡର ଚର୍ଚ୍ଚିତ ଗାୟିକା କନିକା କପୁର କୋଭିଡ-୧୯ ସଂକ୍ରମଣ ହେବା ପରେ ବିବାଦ ତାଙ୍କ ପିଛା ଛାଡୁନି। ତାଙ୍କ ଶରୀରରେ କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ନିୟମିତ ଚିକିତ୍ସା ପରେ ତାଙ୍କ ଶରୀରରେ କରୋନା ଭାଇରସ ନେଗେଟିଭ୍‌ ଆସିବା ପରେ ତାଙ୍କୁ ମେଡିକାଲରୁ ମୁକ୍ତ କରାଯାଇଥିଲା। ମେଡିକାଲରୁ ମୁକ୍ତ ହେବା ପରେ ତାଙ୍କୁ ତାଙ୍କ ନିଜ ଘର ସାଲିମାର ଗ୍ୟାଲାଣ୍ଟ ବିଲ୍‌ଡିଂରେ ହୋମ୍‌ କ୍ବାରାଣ୍ଟିନରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ କନିକା କପୁର ହୋମ୍‌ କ୍ବାରାଣ୍ଟିନ୍‌ରେ ରହୁଥିବା ନିଜ ଘରକୁ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ସିଲ୍‌ ନ କରିବାରୁ ଏହାକୁ ନେଇ ନୂଆ ବିବାଦ ଦେଖାଦେଇଛି। ଯେଉଁ ଘରେ କନିକା କପୁର ହୋମ୍‌ କ୍ବାରାଣ୍ଟିନ୍‌ରେ ରହୁଥିଲେ, ସମଗ୍ର ଅଞ୍ଚଳକୁ କାହିଁକି ସିଲ୍‌ କରାଗଲା ନାହିଁ ବୋଲି ‌ଏବେ ପ୍ରଶ୍ନବାଚୀ ଉଠିଛି। ଯେଉଁ ଅଞ୍ଚଳରେ କୋଭିଡ-୧୯ ପଜିଟିଭ୍‌ ପ୍ରକାଶ ପାଇବା ମାତ୍ରେ ସେ ଅଞ୍ଚଳକୁ ତତ୍‌କ୍ଷଣାତ ସିଲ୍‌ କରାଯିବା ସହ ତାକୁ ‘ହଟ୍‌ସ୍ପଟ୍‌’ ଘୋଷଣା କରାଯିବାର ନିୟମ ହୋଇଥିବାବେଳେ କନିକା କପୁରଙ୍କ ସୋସାଇଟିକୁ କାହିଁକି ସିଲ୍‌ କରାଗଲା ନାହିଁ ବୋଲି ବିବାଦ ସୃଷ୍ଟି ହୋଇଛି। କାହିଁକି କନିକା କପୁରଙ୍କ ବିଲ୍‌ଡିଂକୁ କାହିଁକି ସିଲ୍‌ କରାଗଲା ନାହିଁ ବୋଲି କନିକା କପୁରଙ୍କ ସୋସାଇଟିରେ ରହୁଥିବା ଅଧିବାସୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ସମାଜର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ କନିକା କପୁରଙ୍କ ବିଲ୍‌ଡିଂକୁ ସିଲ୍‌ କରାଯାଇନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ବୋଲି କହିଛନ୍ତି। ତେବେ କନିକା କପୁର ସୁସ୍ଥ ଅଛନ୍ତି ଏବଂ ତାଙ୍କ ବିଲ୍‌ଡିଂକୁ ସିଲ୍‌ କରାଯିବାର କୌଣସି ଆବଶ୍ୟକ ନାହିଁ ବୋଲି ଏହା ମଧ୍ୟରେ ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଲଣ୍ଡନରୁ ଫେରିବା ପରେ କନିକା କପୁର କୋଭିଡ-୧୯ ଦ୍ବାରା ସଂକ୍ରମିତ ହୋଇ ମଧ୍ୟ ନିଜର ଭ୍ରମଣ ଇତିହାସ ସମ୍ପର୍କରେ ପ୍ରଶାସନକୁ ନ ଜଣାଇ ଅବାଧ ଭାବେ ଚଳପ୍ରଚଳ କରୁଥିଲେ। ଉତ୍ତର ପ୍ରଦେଶ ସରକାର କନିକା କପୁରଙ୍କ ଏଭଳି କାର୍ଯ୍ୟକଳାପ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର