ନୂଆଦିଲ୍ଲୀ: କାନପୁରରୁ ରବିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ କ୍ରିକେଟ ଖେଳୁଥିବା ବେଳେ ଜଣେ ବାଳକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମୃତକ ବାଳକ ସେଣ୍ଟ ଜୋସେଫ ସ୍କୁଲର ଷଷ୍ଠଶ୍ରେଣୀରେ ପାଠପଢ଼ୁଥିଲା। ମା’ଙ୍କ ସହିତ ସେ ମାମୁଁ ଘରକୁ ବୁଲିବାକୁ ଯାଇଥିଲା। ତାର ବାପାଙ୍କ କିଛିବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।
ମାମୁଁଘର ଠାରୁ କିଛି ଦୂରରେ ଥିବା ପଡ଼ିଆକୁ ବାଳକ ଜଣକ ଖେଳିବାକୁ ଯାଇଥିଲା। ସେଠାରେ ଖେଳୁଖେଳୁ ସେ ହଠାତ ତଳେ ପଡ଼ି ଅଚେତ ହୋଇଯାଇଥିଲା। ସାଙ୍ଗମାନେ ତାକୁ ଯେତେ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଉଠି ନଥିଲା। ଏହାପରେ ପରିବାରଲୋକଙ୍କୁ ଏହି ଘଟଣା ସମ୍ପର୍କରେ ଅନ୍ୟ ପିଲାମାନେ ଆସି ଖବର ଦେଇଥିଲେ।
ଖବର ପାଇ ପରିବାରଲୋକ ବାଳକକୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଖବର ଲେଖାହେଲା ପର୍ଯ୍ୟନ୍ତ ବାଳକ ଖେଳୁ୍ଥିବା ବେଳେ ପଡ଼ିଆରେ କେମିତି ପଡ଼ିଲେ ତାହାର କାରଣ ଜଣାପଡ଼ି ନଥିଲା। ପୁଅର ମୃତ୍ୟୁ ଘଟଣାକୁ ନେଇ ପରିବାରଲୋକ ଥାନାରେ କୌଣସି ମାମଲା ରୁୂଜୁ କରି ନାହାନ୍ତି।