ପ୍ରଧାନମନ୍ତ୍ରୀ ମୋଦୀ ଓ ମହିଳା ‘ଆଇଏଏସ୍‌’ ଅଫିସର୍‌ଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେଇ କ୍ରାଇମ୍ ବ୍ରାଞ୍ଚ୍‌ କନେଷ୍ଟବଳ ନିଲମ୍ବିତ

କାନପୁର: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜଣେ ମହିଳା ‘ଆଇଏଏସ୍‌’ ଅଫିସର୍‌ଙ୍କ ନାଁରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା କାନପୁର କ୍ରାଇମ୍‌ ବ୍ରାଞ୍ଚ୍‌ର ଜଣେ କନେଷ୍ଟବଳ ଗୁରୁବାର ଦିନ ନିଲମ୍ବିତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କାନପୁର କ୍ରାଇମ୍‌ ବ୍ରାଞ୍ଚ୍‌ରେ ନିଯୁକ୍ତି ପାଇଥିବା କନେଷ୍ଟବଳ ଅଜୟ ଗୁପ୍ତା ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜଣେ ମହିଳା ‘ଆଇଏଏସ୍‌’ ଅଫିସର୍‌ଙ୍କ ନାମରେ ଅଶିଷ୍ଟ ମନ୍ତବ୍ୟ ଦେଇଥିଲେ।

Image Courtesy of ABP

ତାଙ୍କୁ ନିଲମ୍ବିତ କରିଥିବା ପୁଲିସ କମିସନର୍‌ ‘ବି.ପି. ଜୋଗଦଣ୍ଡ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ଜଣେ କନେଷ୍ଟବଳ ପୋଷ୍ଟ୍‌ କରିଥିବା କେତେକ ଟୁଇଟ୍‌ ତାଙ୍କ ସୀମା ଲଂଘନ କରିଛି। ପୁଲିସ ଚାକିରି ହୋଇଥିବାରୁ ଆମର ନିର୍ଦ୍ଦିଷ୍ଟ କିଛି ସୀମା ଅଛି। ଏହା ଆମ ଆଚରଣର ଉଲ୍ଲଂଘନ। ଏଥିପ୍ରତି ଦୃଷ୍ଟି ଦେଇ ଆମେ ତାଙ୍କୁ ନିଲମ୍ବନ କରିବା ସହ ବିଭାଗୀୟ ତଦନ୍ତ ପାଇଁ ଆଦେଶ ଦେଇଛୁ।

ଗୁପ୍ତା ଅଧିକାଂଶ ଦିନ ସାମାଜିକ ଗଣମାଧ୍ୟମରେ ବିବାଦୀୟ ଟୁଇଟ୍‌ ପୋଷ୍ଟ୍‌ କରିବା ସହ ସେ ସଂକ୍ରାନ୍ତରେ ଆସୁଥିବା ପ୍ରଶ୍ନଗୁଡ଼ିକର ମନ୍ଦ ଉତ୍ତର ଦିଅନ୍ତି। ଉକ୍ତ ଉତ୍ତରଗୁଡ଼ିକର ‘ସ୍କ୍ରିନ୍‌ଗ୍ରାବ୍‌’ ସବୁ ମଧ୍ୟ ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରନ୍ତି ଓ ସେସବୁ ଭାଇରାଲ୍‌ ହୁଏ।

ସୂଚନାଯୋଗ୍ୟ, ଦୀର୍ଘ ଦିନରୁ ‘କ୍ରାଇମ୍‌ ବ୍ରାଞ୍ଚ୍‌ କମିସନ୍‌ରେଟ୍‌’ରେ ଚାକିରି କରୁଥିବା କନେଷ୍ଟବଳ ଅଜୟ ଗୁପ୍ତା ଅଗଷ୍ଟ ୧୪ ତାରିଖରେ ଘୋଷିତ ପୁଲିସ ପଦକ ସଂକ୍ରାନ୍ତରେ ଆପତ୍ତି ଉଠାଇଥିଲେ। ସେ କମିସନ୍‌ରେଟ୍‌ ଅଧିକାରୀଙ୍କଠାରୁ ଆରମ୍ଭ କରି ‘ଡିଜିପି’ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଶ୍ନ ପଚାରି ଥିଲେ। କମିସନ୍‌ରେଟ୍‌ ପୁଲିସ  ମଧ୍ୟ ତାଙ୍କୁ ଉତ୍ତର ଦେଇଥିଲେ। କିନ୍ତୁ, ଏହା ସତ୍ତ୍ବେ ସାମାଜିକ ଗଣମାଧ୍ୟମରେ ସେ ପୁଲିସ ବିଭାଗ ବିରୁଦ୍ଧରେ ମଧ୍ୟ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ।

ସମ୍ବନ୍ଧିତ ଖବର