କାନପୁର:  ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି ଆଖିରେ ଲୁହ ଆଣି‌ଦେବା ପରି ଏକ ଘଟଣା। ଜଣେ ବୃଦ୍ଧାଙ୍କ ଚିଠି ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଚର୍ଚ୍ଚା ନୁହେଁ, ବରଂ ଏହି ଚିଠି କାନପୁରର ଜିଲ୍ଲା ମାଜିଷ୍ଟ୍ରେଟ୍‌ ମ୍ୟାଡାମ୍‌ଙ୍କୁ ବି ଭାବପ୍ରବଣ କରି ପକାଇଛି।

Advertisment

ଘଟଣାଟି ଏପରି, ସୋମବାର ସକାଳୁ ସକାଳୁ ଜିଲ୍ଲାପାଳ ନେହା ଜୈନ୍‌ଙ୍କ ପାଖରେ ଆସି ଜଣେ ବୃଦ୍ଧା ପହଞ୍ଚିଥିଲେ। ସେ କାନ୍ଦି କାନ୍ଦି ନିଜର ଅଭିଯୋଗ ଧରି ତାଙ୍କ ନିକଟରେ ପହଞ୍ଚିଥିବା ବେଳେ କିଛି ସମୟ ପାଇଁ ଭାବୁକ ହୋଇ ପଡ଼ିଥିଲା ପୂରା ବାତାବରଣ।

ତେବେ ଜିଲ୍ଲାପାଳ ଶ୍ରୀମତୀ ଜୈନ୍ ପୀଡ଼ିତ ମହିଳାଙ୍କ କଥା ଶୁଣି ତାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ଲୁହ ପୋଛି ଦେଇଥିଲେ। ତା’ପରେ ସେ ଭୋଗନିପୁର ଏସ୍‌ଡିଏମ୍‌ଙ୍କୁ ତାଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦେବା ସହ ବୃଦ୍ଧାଙ୍କ ଖାଦ୍ୟପେୟ କଥା ବୁଝି ସରକାରୀ ଗାଡ଼ିରେ ତାଙ୍କ ଘରେ ପହଞ୍ଚାଇଥିଲେ।

ଜିଲ୍ଲାପାଳଙ୍କର ବୃଦ୍ଧାଙ୍କ ପ୍ରତି ଏପରି ସହାନୁଭୂତି ସଭିଙ୍କ ମନକୁ ଛୁଇଁଛି। ଧକେଲପୁର ଗ୍ରାମର ୭୦ ବର୍ଷୀୟା ବୃଦ୍ଧା କୁସୁମ ସିଂହ ଏକ ପତ୍ର ନେଇ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ। ଚିଠିର ଆରମ୍ଭରେ ‘ମେରି ପ୍ୟାରି ଡିଏମ୍‌ ବିଟିଆ’ ଲେଖି ପରେ ନିଜର ପୀଡ଼ା ବଖାଣିଥିଲେ।

ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସ୍ବାମୀ ଛବିନାଥ ସିଂହଙ୍କର କର୍କଟରେ ମୃତ୍ୟୁ ହେବା ପରେ ତାଙ୍କ ପୁଅ ଓ ବୋହୂ ତାଙ୍କୁ ପଚାରୁନାହାନ୍ତି। ପୁଅ ସଂପତ୍ତି କାଗଜପତ୍ର ନିଜ ନାମରେ କରିବା ପରେ ତାଙ୍କୁ ହଇରାଣ କରୁଛନ୍ତି। ତେବେ ଏବେ ବି ତାଙ୍କ ସ୍ବାମୀଙ୍କ ନାମରେ କିଛି ସଂପତ୍ତି ରହିଛି, ଯାହାକୁ ସେ ନିଜ ନାମରେ କରିବାକୁ ଚାହାନ୍ତି।