କରୋନା ପରେ ଭୟ ବଢାଉଛି ‘ଜିକା’ ଭୂତାଣୁ, ୟୁପିର କାନପୁରରେ ୨୫ ନୂଆ ସଂକ୍ରମିତ ଚିହ୍ନଟ

ଲ‌କ୍ଷ୍ନୌ: କରୋନା ସଂକ୍ରମଣ କମିବା ପରେ ଜିକା ଭୂତାଣୁ ସଂକ୍ରମଣ ଏବେ ୟୁପି କାନପୁରରେ ବିସ୍ଫୋଟକ ରୂପ ନେଇଛି । ବାୟୁସେନାର କର୍ମଚାରୀଙ୍କ ସହ ୨୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କାନପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କାନପୁରର ଆଖପାଖ ୩ କିଲୋମିଟର ପରିଧି ଭିତରେ ଜିକା ଭୂତାଣୁର ସଂକ୍ରମଣ ବଢ଼ିବା ଘଟଣା ସ୍ଥାନୀୟ ପ୍ରଶାସନକୁ ଚିନ୍ତାରେ ପକାଇଛି । ଏବେ ଜିଲ୍ଲା ଅଧିକାରୀ ବିକାଶ ଜି ଆୟର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଏକ ଟିମ ସହିତ ଘର ଘର ବୁଲି ଯାଞ୍ଚ କରୁଛନ୍ତି । ଆଜି ଯେଉଁ ୨୫ ଜଣ ଜିକା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଛି ।

ଅନ୍ୟପଟେ ସେହି ଅଞ୍ଚଳରେ ସଂକ୍ରମଣ କମ କରିବା ପାଇଁ ୧୫୦ କର୍ମୀ ସଫେଇ କାମ ଜାରି ରଖିଛନ୍ତି । ଏହା ପୂର୍ବରୁ ବି ଉକ୍ତ ଅଞ୍ଚଳରେ ୧୧ ଜଣ ଲୋକ ଏହି ଜିକା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ଏବେ କାନପୁର ଅଞ୍ଚଳରେ ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଜିଲ୍ଲା ଅଧିକାରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ କାନପୁର ଜିଲ୍ଲାରେ ମୋଟ ୪୫ ଜଣ ଲୋକଙ୍କ ସ୍କ୍ରିନିଂ କରାଯାଇଛି । ଯେଉଁମାନେ ଜିକା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧା ମହିଳା ଥିବା କଥା କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ପ୍ରଥମେ ୩ ଜଣ ବିମାନ ବନ୍ଦର କର୍ମଚାରୀ ଜିକା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ସମ୍ବନ୍ଧିତ ଖବର