କାନପୁର,: କାନ୍‌ପୁରର ଜଣେ ଲ୍ୟାବ୍‌ ଟେକ୍‌ନିସିଆନ୍‌ଙ୍କୁ ଅପହରଣ ପରେ ହତ୍ୟା କରିବା ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଜଣେ ଆଇପିଏସ୍‌ ଅଫିସର୍‌, ଜଣେ ଡିଏସ୍‌ପିଙ୍କ ସମେତ ୪ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି। ଲ୍ୟାବ୍‌ ଟେକ୍‌ନିସିଆନ୍‌ ସଂଜିତ ଯାଦବଙ୍କୁ ଜୁନ୍‌ ୨୨ ରେ ଅପହରଣ କରାଯାଇଥିଲା ଏବଂ ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଯାଦବଙ୍କ ପରିବାର ସଦସ୍ୟଙ୍କଠାରୁ ଅପହରଣକାରୀମାନେ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ୩୦ ଲକ୍ଷ ଟଙ୍କା ଦେବାପାଇଁ ପୁଲିସ ମଧ୍ୟ ଯାଦବଙ୍କ ପରିବାର ସଦସ୍ୟଙ୍କୁ କହିଥିଲା। ତେବେ ଉକ୍ତ ମାମଲାରେ ପୁଲିସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଅବହେଳା ପାଇଁ ଜଣେ ଆଇପିଏସ୍‌ ଏବଂ ଡିଏସ୍‌ପିଙ୍କ ସମେତ ୪ ଜଣ ଦାୟିତ୍ବରୁ ନିଲମ୍ବିତ ହୋଇଛନ୍ତି।

Advertisment

ବରିଷ୍ଠ ଆଇପିଏସ୍‌ ଅଫିସର ବିପି ଯୋଗନାଡ଼ଙ୍କୁ ଉକ୍ତ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। ପୁଲିସ କହିଛି ଯେ, ଉକ୍ତ ମାମଲାରେ ମୃତ ଯାଦବଙ୍କ ୨ ବନ୍ଧୁଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ଯାଦବଙ୍କୁ ଜୁନ୍‌ ୨୬-୨୭ରେ ଅପହରଣକାରୀମାନେ ହତ୍ୟାକରି ପଣ୍ଡୁ ନଦୀରେ ତାଙ୍କ ଶବ ଫୋପାଡ଼ି ଦେଇଥିଲେ। ଯାଦବଙ୍କ ପରିବାର ସଦସ୍ୟ କରିଛନ୍ତି ଯେ, ସେମାନେ ଅପହରଣକାରୀଙ୍କଠାରୁ ଜୁନ୍‌ ୨୯ରେ ଏକ ଫୋନ୍‌ କଲ୍‌ ପାଇଥିଲେ। ୩୦ ଲକ୍ଷ ଟଙ୍କା ନେଲେ ସେମାନେ ଯାଦବଙ୍କୁ ଛାଡ଼ିଦେବେ ବୋଲି କହିଥିଲେ। ଯାଦବଙ୍କ ପରିବାର ସଦସ୍ୟ ଟଙ୍କା ଯୋଗାଡ଼ କରି ଜୁଲାଇ ୧୩ ରେ ପୁଲିସ ଉପସ୍ଥିତି‌ରେ ଟଙ୍କା ଦେଇଥିଲେ। ଅପହରଣକାରୀଙ୍କ କହିବା ଅନୁଯାୟୀ ସେମାନେ ଏକ ରେଳ ଟ୍ରାକ୍‌ରେ ଟଙ୍କା ରଖିଥିଲେ। କିନ୍ତୁ ଟଙ୍କା ନେବାପରେ ମଧ୍ୟ ଅପହରଣକାରୀ ଯାଦବଙ୍କୁ ଛାଡ଼ିନଥିଲେ।