ନୂଆଦିଲ୍ଲୀ: କାନପୁରରେ ଗତ ଜୁନ ୮ ତାରିଖରେ ପରିବାର ସହିତ ଘରକୁ ଫେରୁଥିବା ବେଳେ ଜଣେ ମହିଳା ଲୁଟର ଶିକାର ହୋଇଥିଲେ। ଲୁଟର ଶିକାର ହେବାପରେ ମହିଳା ଜଣକ ଆହତ ହୋଇଥିବା ପୁଲିସରେ ଅଭିଯୋଗ କରିଥିଲେ।
ଏହାପରେ ପୁଲିସ ତଦନ୍ତ କରି ଲୁଟେରାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲା। ପୁଲିସ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ପୁଲିସର ଏକ ଗୁଳି ଜଣେ ଲୁଟେରାଙ୍କ ଗୋଡ଼ରେ ବାଜିଥିଲା। ଉକ୍ତ ଲୁଟେରା ସାମାଜବାଦୀ ପାର୍ଟିର ସ୍ଥାନୀୟ ନେତା ଥିବା ଜଣାପଡ଼ିଛି। ପାର୍ଟିର ଅନେକ ନେତାଙ୍କ ସହିତ ତାଙ୍କ ଫଟୋ ବି ଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ଲୁଟ ଘଟଣାରେ ସାମିଲ ଥିବା ଅଭିଯୁକ୍ତ ସୋସିଆଲ ମିଡିଆ ପ୍ରୋଫାଇଲରେ ନିଜକୁ କଲ୍ୟାଣପୁର ବିଧାନସଭାର ୱାର୍ଡ-୧୭ର ସମାଜବାଦୀ ପାର୍ଟିର ଉପାଧ୍ୟକ୍ଷ ସୂଚିତ କରିଛନ୍ତି। ଏଥିସହିତ ପୂର୍ବତନ ସପା ବିଧାୟକଙ୍କ ସହିତ ତାଙ୍କ ଏକ ଫଟୋ ଥିବା ବି ଦେଖିବାକୁ ମିଳିଛି।
ଗତ ଶନିବାର ରାତିରେ କଲ୍ୟାଣପୁର ଥାନା ଅଞ୍ଚଳରେ ରହୁଥିବା ସଜ୍ଜନ ଖାନ ତାଙ୍କ ସ୍ତ୍ରୀ ସାଦିୟା ଓ ଦୁଇପିଲାଙ୍କ ସାଙ୍ଗରେ ବାବୁପୁରୱାସ୍ଥିତ ଥିବା ତାଙ୍କ ଶ୍ବଶୁର ଘରୁ ଫେରୁଥିଲେ। ଏହି ସମୟରେ କିଛି ଲୁଟେରା ସଜ୍ଜନଙ୍କ ପିଛା କରିଥିଲେ। କିଛିବାଟ ପିଛା କରିବାପରେ ଲୁଟେରା ସାଦିୟାଙ୍କ ବେକରୁ ସୁନା ଚେନ ଓ ପର୍ସ ଲୁଟି ନେଇଥିଲେ। ଏହି ଘଟଣାରେ ସଜ୍ଜନଙ୍କ ସମେତ ତାଙ୍କ ସ୍ତ୍ରୀ ସାଦିୟା ଓ ଦୁଇପିଲା ସ୍କୁଟିରୁ ତଳକୁ ପଡ଼ିଯିବାରୁ ଗୁରୁତର ଆହତ ହୋଇଥିଲେ।
ଏହି ଘଟଣା ପରେ ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ତଦନ୍ତ ଚଲାଇଥିବା ବେଳେ ଗତବୁଧବାର ବିଳମ୍ବିତ ରାତିରେ ପୁଲିସ ଉକ୍ତ ସପା ନେତାଙ୍କୁ ଗିରଫ କରିଥିଲା।
ଡିସିପି ବିଜୟ ଢ଼ୁଲ କହିଛନ୍ତି, ଲୁଟୋଙ୍କୁ ଧରିବା ପାଇଁ ପାଖାପାଖି ୧୦୦ଟି ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ତା’ପରେ ଯାଇ ଲୁଟେରାଙ୍କ ଚିହ୍ନଟ ହୋଇ ପାରିଥିଲା।