କାନପୁର: ଚମଡା ଶିଳ୍ପରେ ସମୃଦ୍ଧ କାନପୁରରେ ଏବେ ନିଯୁକ୍ତିର ବଡ ସଙ୍କଟ ଦେଖାଦେଇଛି । କାରଣ ଚମଡା କାରଖାନାଗୁଡିକ ୫ ମାସ ହେଲା ବନ୍ଦ ହୋଇପଡିରହିଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୋକ ରୋଜଗାର ହରାଇଲେଣି । ସରକାରୀ ଆଦେଶକୁ ଅପେକ୍ଷା କରିଥିବା ଚମଡା କାରଖାନା ମାଲିକ ଓ ପାଖାପାଖି ୨ ଲକ୍ଷ ଶ୍ରମିକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ବର୍ଷକୁ ପ୍ରାୟ ୧୫ ହଜାର କୋଟି ଟଙ୍କାର ବ୍ୟବସାୟ ହେଉଥିବାବେଳେ କୁମ୍ଭମେଳା ପାଇଁ ଚମଡା କାରଖାନା ବନ୍ଦ କରିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଥିଲେ । କାରଣ କାରଖାନାରୁ ବାହାରୁଥିବା ବିଷାକ୍ତ ଜଳ ପାଇଁ ଗଙ୍ଗା ନଦୀ ପ୍ରଦୂଷିତ ହୋଇଥାଏ |
କୁମ୍ଭମେଳାକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି କୁମ୍ଭମେଳା ପୂର୍ବରୁ ଏହି ସବୁ କାରଖାନା ବନ୍ଦ କରିଦିଆଯାଇଥିଲା | ହେଲେ କୁମ୍ଭମେଳା ସରିବାପରେ ବି ଖୋଲିପାରିନି ଏହି ଶିଳ୍ପ, ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଏହାକୁ ନେଇ ବଞ୍ଚୁଥିବା ବ୍ୟବସାୟୀ ଓ ଶ୍ରମିକ। ସେମାନେ କହିଛନ୍ତି ଯେ ୫ ମାସ ହେଲା ରୋଜଗାର ନଥିବାରୁ ଗାଁକୁ ଫେରିଯିବାକୁ ବାଧ୍ୟ ହେଉଛୁ | ଆଶ୍ଚର୍ଯ୍ୟର କଥା ଯେ ନିର୍ବାଚନରେ ଏ ବାବଦକୁ ନେଇ କୌଣସି ରାଜନୈତିକ ଦଳ ପ୍ରସଙ୍ଗ କରିନାହାନ୍ତି | ଚମଡା ବ୍ୟବସାୟୀମାନେ କହିଛନ୍ତି କାରଖାନା ବନ୍ଦ ରହିଥିବାରୁ ଧୀରେ ଧୀରେ ଅର୍ଡର କମିବାରେ ଲାଗିଛି । ସେମାନେ ଅଭିଯୋଗ କରିଛନ୍ତି କାନପୁରର ପାରମ୍ପରିକ ଶିଳ୍ପକୁ ଶେଷ କରିଦିଆଯିବାର ଚକ୍ରାନ୍ତ କରାଯାଉଛି।