ନୂଆଦିଲ୍ଲୀ: କାନପୁରର ଗଙ୍ଗାଘାଟ ନିକଟରେ ଥିବା ରେଲୱେ ଲାଇନ ତଳୁ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଉଦ୍ଧାର ହୋଇଥିବା ମହିଳା ଜଣକ କହିଛନ୍ତି, ‘ମଙ୍ଗଳବାର ସକାଳ ୬ରୁ ୭ଟା ବେଳେ କିଛିଲୋକ ମୋତେ ଚଳନ୍ତା ଟ୍ରେନରୁ ଧକ୍କା ଦେଇଥିଲେ। ଫଳରେ ମୁଁ ପୋଲରୁ ତଳକୁ ଖସି ପଡ଼ିଥିଲି। ନଦୀରେ ପାଣି କମ ଥିବାରୁ ପହଁରିପହଁରି ମୁଁ କୂଳ ପର୍ଯ୍ୟନ୍ତ ଯାଇପାରିଥିଲି। ଏଠାରୁ ମୋତେ ନାବିକମାନେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଗଙ୍ଗାଘାଟର ପଣ୍ଡା ରାଜୁଙ୍କୁ ଖବର ଦିଆଯାଇଥିଲା। ସେ ମୋତେ ବସ୍ତ୍ର ପ୍ରଦାନ କରି ପୁଲିସକୁ ସୂଚନା ଦେଇଥିଲେ।’
ଏହି ଘଟଣାକୁ ନେଇ ପୁଲିସ କହିଛି, ‘ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯିବା ପରେ ତାଙ୍କ ସହ କିଛି ଭଲ ହୋଇ ନଥିବା ସନ୍ଦେହ କରାଯାଇ ଡାକ୍ତରୀମାଇନା ପାଇଁ ପଠାଯାଇଛି। ଏପଟେ ମହିଳାଙ୍କୁ ଏହି ଘଟଣା ସମ୍ପର୍କରେ ଯାହାବି ପଚରା ଯାଉଛି ତାହାର ଉତ୍ତରରେ କୌଣସି ତାଳମେଳ ରହୁନାହିଁ। ବୋଧହୁଏ ଏହି ଘଟଣାପରେ ସେ ଭୟଭୀତ ହୋଇଯାଇଛନ୍ତି। ଡାକ୍ତର ମହିଳାଙ୍କ ଚିକିତ୍ସା ଜାରି ରଖିଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଯାଇ ତାଙ୍କର ବୟାନ ରେକର୍ଡ କରାଯିବ। ତେବେ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୁଲିସ ଯାଞ୍ଚ କରୁଛି।
ଏଥିସହିତ ମହିଳାଙ୍କୁ ଚଳନ୍ତା ଟ୍ରେନରୁ କେଉଁ କାରଣ ପାଇଁ ବିବସ୍ତ୍ର କରି ଫିଙ୍ଗି ଦିଆଯାଇଥିଲା ତାହାର କାରଣ ବି ଖୋଜୁଛି ପୁଲିସ।