କାନ୍‌ସାସ୍‌ ଗୁଳିକାଣ୍ଡର ହିରୋ ଇଆନ୍‌ ଗ୍ରିଲୋଟ୍‌ଙ୍କୁ ସମ୍ମାନିତ କଲା ଟାଇମ୍‌ ମାଗାଜିନ୍‌

ହଷ୍ଟନ୍‌: କେତେକ ଭାରତୀୟଙ୍କୁ ରକ୍ଷା କରିବାକୁ ଯାଇ ଗୁଳି ଚୋଟ ଖାଇଥିବା ଇଆନ୍‌ ଗ୍ରିଲୋଟ୍‌ ନାମକ ଜଣେ ଆମେରିକୀୟ ବ୍ୟକ୍ତିଙ୍କୁ ଟାଇମ୍‌ ମାଗାଜିନ୍‌ ସମ୍ମାନିତ କରିଛି। ଏ ବର୍ଷ ପ୍ରାରମ୍ଭରେ କାନ୍‌ସାସ୍‌ରେ ଘଟିଥିବା ବର୍ଣ୍ଣବିଦ୍ୱେଷ ଜନିତ ଗୁଳିକାଣ୍ଡକୁ ପ୍ରତିରୋଧ କରିବାକୁ ଉଦ୍ୟମ କରି ସେ ଅନାମଧ୍ୟେୟ ଯୁବକ ଜଣକ ଗୁଳି ଚୋଟ ଖାଇ ଥିଲେ।

୨୦୧୭ରେ ‘ଆମକୁ ଭରସା ଦେଇଥିବା ୫ ନାୟକ’ଙ୍କ (5 Heroes Who Gave Us Hope in 2017) ଶୀର୍ଷକ ଆଲେଖ୍ୟରେ ଗ୍ରିଲୋଟ୍‌ଙ୍କ ନାମ ରହିଛି।

Image Courtesy of TOI

ଗତ ଫେବ୍ରୁଆରି ମାସରେ କାନ୍‌ସାସ୍‌ ଅନ୍ତର୍ଗତ ଓଲାଥିସ୍ଥିତ ଗୋଟିଏ ବାର୍‌କୁ ପଶି ଆସି ଜଣେ ବର୍ଷିୟାନ୍‌ ଆମେରିକୀୟ ନୌସେନା ଅଧିକାରୀ ସେଠାରେ ଥିବା ଭାରତୀୟମାନଙ୍କୁ ଲକ୍ଷ କରି ଗୁଳି ଚଳାଇଥିଲେ। ଗୁଳିକାଣ୍ଡକୁ ପ୍ରତିରୋଧ କରିବାକୁ ଯାଇ ସେଠାରେ ଥିବା ୨୪ ବର୍ଷିୟ ଗ୍ରିଲୋଟ୍‌ ଗୁରୁତର ଆହତ ହୋଇଥିଲେ।

ଏହି ଗୁଳିକାଣ୍ଡରେ ୩୨ ବର୍ଷିୟ ଶ୍ରୀନିବାସ କୁଚିଭୋତ୍‌ଲା ନିହତ ହୋଇଥିଲେ। ଏଥିରେ ଶ୍ରୀନିବାସଙ୍କ ସହକର୍ମୀ ଆଲୋକ ମଦାସନି ସାଙ୍ଘାତିକ ଆହତ ହୋଇଥିଲେ।

ଗୁରୁବାର ଦିନ ଟାଇମ୍‌ ପୋଷ୍ଟ୍‌ କରିଥିବା ଏକ ଆଲେଖ୍ୟରେ ଗ୍ରିଲୋଟ୍‌ କହିଛନ୍ତି: ଯଦି ମୁଁ କିଛି ନ କରି ଥାଆନ୍ତି ମୁଁ ଆଉ ମୁଁ ହୋଇ ବଞ୍ଚି ପାରି ନ ଥାଆନ୍ତି।

Image Courtesy of HT

‘ଆକ୍ରମଣ ପଥକୁ ମାଡ଼ି ଯାଇଥିବା ମଦ୍ୟାଳୟର ଯାତ୍ରୀ’ ବୋଲି ଅଭିହିତ କରି ଟାଇମ୍‌ ମାଗାଜିନ୍‌ କାନ୍‌ସାସ୍‌ର ସେ ବୀରୋଚିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

ସମସ୍ତଙ୍କ ପ୍ରାର୍ଥନା ଏବଂ ସକାରାତ୍ମକ ସହାୟତା ବିନା ମୁଁ ଆଜି ସୁସ୍ଥ ନ ଥାଆନ୍ତି। ଏ ବର୍ଷଟି ବଡ଼ ବିସ୍ମୟକର। ବଞ୍ଚିବା ନିମନ୍ତେ ଆଶୀର୍ବାଦ ବୋଲି କହିଛନ୍ତି ଗ୍ରିଲୋଟ୍‌।

ଏ ବର୍ଷ ପ୍ରାରମ୍ଭରେ ହଷ୍ଟନ୍‌ରେ ଇଣ୍ଡିଆନ୍‌-ଆମେରିକାନ୍‌ କମ୍ୟୁନିଟି ଗ୍ରିଲୋଟ୍‌ଙ୍କୁ ‘ଏ ଟ୍ରୁ ଆମେରିକାନ୍‌ ହିରୋ’ ବୋଲି ଅଭିହିତ କରି ସମ୍ମାନିତ କରିଥିଲା। ତାଙ୍କ ଜନ୍ମିତ ସହରରେ ଘରଟିଏ ଖରିଦ କରିବା ଲାଗି ୧ ଲକ୍ଷ ଆମେରିକୀୟ ଡଲାର ଚାନ୍ଦା ଆଦାୟ କରି କମ୍ୟୁନିଟି ତାଙ୍କୁ ଦେଇଥିଲା।

ଶ୍ରୀନିବାସ ଏବଂ ଆଲୋକଙ୍କ ସାମ୍ନାରେ ପହଞ୍ଚି ବନ୍ଧୁକଧାରୀ ଲୋକଟି ‘ମୋ ଦେଶରୁ ବାହାରି ଯାଆ’ କହି ଗୁଳି ଚଳାଇବାବେଳେ ଗ୍ରିଲୋଟ୍‌ ରେସ୍ତୋରାଁରେ ଟେଲିଭିଜନ୍‌ରେ ପ୍ରସାରିତ ବାସ୍‌କେଟ୍‌ବଲ୍‌ ଖେଳ ଦେଖୁଥିଲେ।

Image Courtesy of The Kansas City Star

ଅନ୍ୟମାନଙ୍କୁ ଗୁଳି ଚଳାଇବାରୁ ବନ୍ଧୁକଧାରୀକୁ ନିବୃତ କରାଇବାକୁ ଉଦ୍ୟମ କଲାବେଳେ ଗ୍ରିଲୋଟଙ୍କ ଛାତିରେ ଗୁଳି ଚୋଟ ଲାଗିଥିଲା।
ଗୁଳି ଚଳାଇଥିବା ଆମେରିକୀୟ ନୌସେନା ଅଧିକାରୀ ଆଦାମ ପ୍ୟୁରିଣ୍ଟନ୍‌ ଓଲାଥିଙ୍କୁ ହତ୍ୟା ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ଫାଷ୍ଟ୍‍-ଡିଗ୍ରି ଚାର୍ଜ କରାଯାଇଥିଲା।

ଟାଇମ୍‌ ଦ୍ୱାରା ସମ୍ମାନିତ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକ ଏବଂ ଜୀବଜନ୍ତୁ। ସେମାନେ ହେଉଛନ୍ତି ପ୍ୟୁଏର୍ଟୋ ରିକୋ ଠାରେ ‘ମେରିଆ ବତ୍ୟା’ ପ୍ରପୀଡ଼ିତଙ୍କୁ ଖାଇବାକୁ ଦେଇଥିବା ଜଣେ ରୋଷେୟା, ‘ହାର୍ଭି ତୋଫାନ୍‌’ ପରେ ଜଣେ ମହିଳାଙ୍କୁ ପିଲା ପ୍ରସବ କରାଇବାରେ ସହାୟତା କରିଥିବା ହଷ୍ଟନ୍‌ ପଡ଼ୋଶୀ ଏବଂ ବଣରେ ନିଅାଁ ଲାଗିଯିବା ସତ୍ତ୍ୱେ ଗୃହପାଳିତ ପଶୁଙ୍କୁ ଛାଡ଼ି ପଳାଇ ଆସି ନ ଥିବା ଗୋଟାଏ କାଲିଫର୍ଣ୍ଣୀୟ କୁକୁର।

ସମ୍ବନ୍ଧିତ ଖବର