ନୂଆଦିଲ୍ଲୀ: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଏଚ୍୧-ବି ଭିସା ନୀତିକୁ କଡ଼ାକଡ଼ି କରାଯାଇଥିବା ବେଳେ ଭାରତୀୟମାନେ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଥିବାରୁ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହେଉଛି। ଭାରତ ସରକାର ଏହାର ମାନବୀୟ ପରିଣାମ ଓ ପାରିବାରିକ ସମସ୍ୟା ସଂପର୍କିତ ପ୍ରସଙ୍ଗ ଉଠାଇ ଆମେରିକାକୁ ସନ୍ତୁଳିତ ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଆମେରିକାର ଭିସା ନୀତିକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମୋଦୀ ସରକାରଙ୍କୁ ଦାୟୀ କରି କହିଛନ୍ତି, ଟ୍ରମ୍ପଙ୍କ ସହ ମୋଦୀଙ୍କ ବନ୍ଧୁତା ଭାରତୀୟଙ୍କ ସ୍ବାର୍ଥ ରକ୍ଷାରେ ବିଫଳ ହୋଇଛି। ସେ କହିଛନ୍ତି, ‘ମୋଦୀଙ୍କ ଜନ୍ମଦିନରେ ଟ୍ରମ୍ପଙ୍କ ଶୁଭେଚ୍ଛା ଭାରତୀୟଙ୍କୁ  ‘ଉପହାର’ ଭଳି ମିଳିଛି।  

Advertisment

ଆମେରିକା ଚାପରେ ନଇଁବୁ ନାହିଁ: ରିଜିଜୁ

ଖଡ଼ଗେଙ୍କ ଏଭଳି କଟାକ୍ଷ କେବଳ ଶସ୍ତା ରାଜନୈତିକ ଫାଇଦା ପାଇଁ ଉଦ୍ଦିଷ୍ଟ ଏବଂ ‌ଏଭଳି ବୟାନ ଲୋକଙ୍କ ସ୍ବାର୍ଥ ରକ୍ଷାରେ ସହାୟକ ହେବନାହିଁ ବୋଲି ବିଜେପି ନେତାମାନେ କହିଥିବା ବେଳେ ଏହି ପ୍ରସଙ୍ଗରେ  ପୂର୍ବତନ ବୈଦେଶିକ ସଚିବ କନ୍‌ୱଲ ସିବଲ ମଧ୍ୟ ଖଡ଼ଗେଙ୍କୁ ଘେରିଛନ୍ତି।  ସେ କହିଛନ୍ତି, ‘ଟ୍ରମ୍ପଙ୍କ ବେପରୁଆ ପଦକ୍ଷେପ ପାଇଁ ମୋଦୀଙ୍କୁ ଦୋଷ ଦେବା ବଦଳରେ ବିଦେଶୀ ଚାପ ବିରୋଧରେ ଭାରତୀୟ ଏକ୍‌ଜୁଟ ହେବା ଦରକାର।’  କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସିବଲଙ୍କ ମତକୁ ସମର୍ଥନ କରି କହିଛନ୍ତି, ‘ସିବଲଙ୍କ ବୁଦ୍ଧିମତା ଓ ସ୍ପଷ୍ଟବାଦିତା ପ୍ରଶଂସନୀୟ। ଜାତୀୟ ହିତ ପାଇଁ ଆମେ ସମସ୍ତେ ଏକାଠି ହେବା ଉଚିତ। ଆମେରିକା ଚାପରେ ଆମେ କଦାପି ନଇଁବୁ ନାହିଁ।’  ଭାରତ ନିଜର ସାମର୍ଥ୍ୟ ଆଧାରରେ ଯେ କୌଣସି ସ୍ଥିତିର ମୁକାବିଲା କରିପାରିବ ବୋଲି ରିଜିଜୁ କହିଛନ୍ତି।