ଟଳିଗଲା ଆଉ ଏକ ବଡ଼ ରେଳ ଦୁର୍ଘଟଣା, ବର୍ତ୍ତିଗଲା ଏଗମୋର୍ ଏକ୍ସପ୍ରେସ, ରେଳଧାରଣା ଉପରେ ରଖାଯାଇଥିଲା ଟ୍ରକ୍ ଟାୟାର

ତ୍ରିଚି : ଓଡ଼ିଶାର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ କେବଳ ଦେଶ ନୁହେଁ, ସାରା ବିଶ୍ବ ସ୍ତବ୍ଧ ହୋଇଯାଇଛି । ଏହି ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ କମିଟି ପକ୍ଷରୁ ତଦନ୍ତ ଜାରି ରହିଛି। ଏହା ମାନବୀୟ  କିମ୍ବା ବୈଷୟିକ ତ୍ରୁଟି ଯୋଗୁଁ ହେଲା ତାହା ଜାଣିବାକୁ ଚେଷ୍ଟା କରାଯାଉଛି ।

କିନ୍ତୁ ଇତି ମଧ୍ୟରେ ଦେଶରେ ଆଉ ଏକ ବଡ଼ ଟ୍ରେନ ଦୁର୍ଘଟଣାକୁ ଏଡ଼ାଇଦିଆଯାଇଛି । ଅଳ୍ପକେ ବର୍ତ୍ତିଯାଇଛି କନ୍ୟାକୁମାରୀ-ଚେନ୍ନାଇ ଏଗମୋର୍ ଏକ୍ସପ୍ରେସ । କିନ୍ତୁ ଓଡ଼ିଶା ଦୁର୍ଘଟଣା ଭଳି ଏହା କୌଣସି ତ୍ରୁଟି ନଥିଲା, ବରଂ ଏହି ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା । ରେଳଧାରଣା ଉପରେ ରଖାଯାଇଥିଲା ଟ୍ରକ୍ ଟାୟାର ।

ଘଟଣାଟି ଘଟିଥିଲା ଶୁକ୍ରବାର-ଶନିବାର ରାତ୍ରି ସାଢେ ୧ଟା ବେଳେ । ତ୍ରିଚିଠାରୁ ୨୧କିଲୋମିଟର ଦୂର ସମୟପୁରମ ଅତିକ୍ରମ କରୁଥିବାବେଳେ ଟ୍ରେନର ଲୋକୋପାଇଲଟ୍ ରଘୁରମଣ ଓ ସହକାରୀ ଲୋକୋପାଇଲଟ୍ ବିନୋଦ ରେଳ ଧାରଣା ଉପରେ କିଛି କଳା ଜିନିଷ ରଖାହୋଇଥିବା ଦେଖିବାକୁ ପାଇଲେ । ଭଲଭାବେ ଦେଖିବା ପରେ ତାହା ଏକ ଟାୟାର ଥିବା ଜଣାପଡ଼ିଥିଲା । ଏହା ଦେଖି ଲୋକୋପାଇଲଟ୍ ତୁରନ୍ତ ବ୍ରେକ୍ ଦେଇଥିଲେ, ଫଳରେ ଟ୍ରେନଟି ଧୀମା ହୋଇଯାଇଥିଲେ ବି ଟାୟାରକୁ ମାଡ଼ି ଚାଲିଯାଇଥିଲା  । ଏହି ଦୁର୍ଘଟଣା ଯୋଗୁଁ ଟ୍ରେନର ବିଦ୍ୟୁତ ସଂଯୋଗ ବନ୍ଦ ହୋଇଯାଇଥିଲା ଓ ଟ୍ରେନ ଅଟକିଯାଇଥିଲା ।

ଲୋକପାଇଲଟ୍ ତୁରନ୍ତ ଏହି ଘଟଣା ସଂପର୍କରେ ଭାଲାଡି ଷ୍ଟେସନକୁ ଜଣାଇବା ପରେ ଘଟଣାସ୍ଥଳରେ ବୈଷୟିକ ଟିମ ଓ ପୁଲିସ ପହଞ୍ଚିଥିଲେ । କିଛି ସମୟପରେ ତ୍ରୁଟି ସଜଡ଼ାଯିବା ପରେ ଟ୍ରେନଟି ଗତିକରିଥିଲା ।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଘଟଣା ଘଟାଇବା ଲକ୍ଷ୍ୟରେ କିଛି ଦୁର୍ବୃତ୍ତ ଏହି ଟାୟାର ରଖିଥିଲେ ।

 

ସମ୍ବନ୍ଧିତ ଖବର