ଗାନ୍ଧୀ ପରିବାର ଛଡା ଆଉ କାହାକୁ ନେତୃତ୍ବର ସୁଯୋଗ ଦିଆଯାଉ: କପିଲ ସିବଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ, ଗାନ୍ଧୀ ପରିବାରକୁ ଦଳର ନେତୃତ୍ୱ ଛାଡିବାକୁ ପୁଣି ଦାବି କରିଛନ୍ତି | ସେ କହିଛନ୍ତି ଯେ ଏହା ହେଉଛି ଉପଯୁକ୍ତ ସମୟ ଯେତେବେଳେ ଗାନ୍ଧୀ ପରିବାର କଂଗ୍ରେସର ନେତୃତ୍ୱରୁ ଦୂରେଇ ରହିବା ଉଚିତ ଏବଂ ନେତୃତ୍ୱ ଭୂମିକା ପାଇଁ ଅନ୍ୟ କାହାକୁ ସୁଯୋଗ ଦେବା ଉଚିତ୍। ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ପରାଜିତ ହେବା ପରେ ଏବଂ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଆୟୋଜନ ହେବା ପରେ ସିବଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସୂଚନା ଥାଉ କି ଜି-୨୩ ନେତାମାନେ ୨୦୨୦ ରେ ସୋନିଆ ଗାନ୍ଧୀଙ୍କ ନିକଟରେ କଂଗ୍ରେସରେ ବଡ ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଆଉ ସିବଲ ହେଉଛନ୍ତି ପ୍ରଥମ ବରିଷ୍ଠ କଂଗ୍ରେସ ନେତା ଯିଏ ଗାନ୍ଧୀ ପରିବାର ଜଣେ ନୂତନ ନେତାଙ୍କ ପାଇଁ ରାସ୍ତା ତିଆରି କରିବାକୁ ଦାବି କରିଥିଲେ ।

ସେ କହିଛନ୍ତି, ଗାନ୍ଧୀ ପରିବାର ସ୍ୱେଚ୍ଛାକୃତ ଭାବେ ଚାଲିଯିବା ଉଚିତ୍, କାରଣ ସେମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ସଦସ୍ୟମାନେ ସେମାନଙ୍କୁ କେବେବି କହିବେ ନାହିଁ ଯେ ସେମାନେ ତାଙ୍କ ବଦଳରେ ଅନ୍ୟ କାହାକୁ କଂଗ୍ରେସର ଦାୟିତ୍ୱ ଦିଅନ୍ତୁ | ସେ କହିଛନ୍ତି ଯେ ସିଡବ୍ଲ୍ୟୁସି ବାହାରେ ବି ଏକ କଂଗ୍ରେସ ଅଛି, ଦୟାକରି ସେମାନଙ୍କ ମତାମତ ଶୁଣନ୍ତୁ।

ସୂଚନା ଥାଉ କି ରବିବାର ଦିନ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନେତୃତ୍ବ ପରିବର୍ତ୍ତନ ଦାବି ମଧ୍ୟରେ ହୋଇଥିବା ଏହି ବୈଠକରେ ସୋନିଆ ଗାନ୍ଧୀ କହିଥିଲେ ଯେ କାର୍ଯ୍ୟକାରିଣୀ ଚାହିଲେ ସେ ତାଙ୍କ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବୈଠ‌କରେ ଇସ୍ତଫା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯିବା ସହିତ ତାଙ୍କ ନେତୃତ୍ବ ପୂର୍ଣ୍ଣ ଆସ୍ଥା ପ୍ରକଟ କରାଯାଇଥିଲା। କେବଳ ସେତିକି ନୁହେଁ, ଦଳକୁ ମଜବୁତ କରିବା ଲାଗି ଆବଶ୍ୟକ ସାଂଗଠନିକ ପରିବର୍ତ୍ତନ ପାଇଁ ତାଙ୍କୁ କ୍ଷମତା ମଧ୍ୟ ଦିଆଯାଇଛି।

ସମ୍ବନ୍ଧିତ ଖବର