ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କି, ତାଙ୍କ ସ୍ବେଚ୍ଛାଚାରୀ ସରକାରକୁ ଡରେନାହିଁ ବୋଲି ଆଜି କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ ଚେତାବନୀ ଦେଇ କହିଛନ୍ତି।
ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ ଚଳାଇଥିବା ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଦିଲ୍ଲୀସ୍ଥିତ ‘ନ୍ୟାସ୍ନାଲ୍ ହେରାଲ୍ଡ’ କାର୍ଯ୍ୟାଳୟ ପରିସରରେ ଥିବା ‘ୟଙ୍ଗ୍ ଇଣ୍ଡିଆ’କୁ ସାମୟିକ ଭାବେ ସିଲ୍ କରାଯିବା ପ୍ରସଙ୍ଗକୁ ଦର୍ଶାଇ ସାମ୍ବାଦିକମାନଙ୍କୁ ରାହୁଲ୍ ଗାନ୍ଧୀ କହିଛନ୍ତି, ଆମେ ଡରିବୁ ନାହିଁ। ଆମେ ନରେନ୍ଦ୍ର ମୋଦୀଙ୍କୁ ଭୟ କରୁନାହିଁ। ତାଙ୍କର ଯାହା କରିବା କଥା କରନ୍ତୁ, କିଛି ଯାଏଆସେ ନାହିଁ। ଆମେ ଦେଶର, ଗଣତନ୍ତ୍ରର ସୁରକ୍ଷା ଓ ସହାବସ୍ଥାନ ବଜାୟ ରଖିବା ଲାଗି କାମ କରିବୁ। ଯେଉଁ କାମ ହେଉ ପଛେ ମୁଁ ତାହା କରିବି।
/sambad/media/post_attachments/wp-content/uploads/2022/08/RG-1.jpg)
ପଳାଇଯିବାକୁ ବାଟ ପାଇବେ ନାହିଁ ବୋଲି ‘ବିଜେପି’ ଦେଉଥିବା ଧମକ ବିଷୟରେ ସାମ୍ବାଦିକମାନେ ପଚାରିବାରୁ ରାହୁଲ୍ କହିଲେ, ପଳାଇଯିବା କଥା କିଏ କହୁଛି? ସେହିମାନେ ହିଁ ପଳାଇଯିବା କଥା କହୁଛନ୍ତି। ଟିକେ ଚାପ ପ୍ରୟୋଗ କଲେ ଆମେ ଚୁପ୍ ହୋଇଯିବୁ ବୋଲି ସେମାନେ ଭାବୁଛନ୍ତି। ଆମେ ଚୁପ୍ ହେବୁନାହିଁ। ‘ବିଜେପି’ ଯାହା କରୁଛି, ଆମେ ତା’ର ବିରୋଧ କରିବୁ। ଆମେ ଭୟଭୀତ ହେବୁନାହିଁ।
ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦେଶାଳୟ ନିର୍ଦେଶ ଦେଇଛି ଯେ, ତା’ର ଆଗୁଆ ଅନୁମତି ବିନା ‘ୟଙ୍ଗ୍ ଇଣ୍ଡିଆ’ ପରିସର ଖୋଲା ଯାଇପାରିବ ନାହିଁ। କିନ୍ତୁ, ‘ହେରାଲ୍ଡ୍ ହାଉସ୍ ଅଟ୍ଟାଳିକା’ରେ ଥିବା ‘ନ୍ୟାସ୍ନାଲ୍ ହେରାଲ୍ଡ୍’ କାର୍ଯ୍ୟାଳୟର ବାକି ଅଞ୍ଚଳ ବ୍ୟବହାର ପାଇଁ ଖୋଲା ରହିବ।