ଇସଲାମାବାଦ: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନରେ ଲାହୋରରୁ କରାଚୀ ଯାଉଥିଲେ । କିନ୍ତୁ ବିମାନ କମ୍ପାନିର ଅବହେଳା କାରଣରୁ ସେ ସାଉଦି ଆରବରେ ପହଞ୍ଚିଯାଇଥିଲେ. ତାହା ପୁଣି ବିନା ଭିସା ଓ ପାସପୋର୍ଟରେ। 

Advertisment

ଏହି ଯାତ୍ରୀଙ୍କ ନାମ ଶାହଜେନ । ସେ ଏକ ପାକିସ୍ତାନୀ ଏୟାରଲାଇନ୍ସରେ ଲାହୋରରୁ କରାଚୀ ଯିବା ପାଇଁ ଟିକେଟ କିଣିଥିଲେ । ବୋର୍ଡିଂ ପାସ୍ ନେଇ ସେ ବିମାନରେ ଚଢିଥିଲେ । ବୋର୍ଡିଂ ପାସକୁ ବିମାନର କର୍ମଚାରୀମାନେ ମଧ୍ୟ ଯାଞ୍ଚ କରି ଭିତରକୁ ଛାଡ଼ିଥିଲେ । ଲାହୋରରୁ କରାଚୀ ଯିବା ପାଇଁ ଲାଗୁଥିବା ୨ ଘଣ୍ଟାର ସମୟ ବିତିଯିବା ପରେ ବି ବିମାନ ଉଡ଼ିଚାଲିଥିଲା । ଏହା ଦେଖି ତାଙ୍କର ସଂଦେହ ହେଲା । ସେ ଜାଣିବାକୁ ପାଇଥିଲେ ଯେ ତାହା କରାଚୀ ଯିବାକୁ ଥିବା ବିମାନ ନଥିଲା, ବିମାନଟି ସାଉଦି ଆରବ ରାଜଧାନୀ ଜେଦା ଯାଉଥିଲା । ଏହା ଦେଖି ତାଙ୍କର ହୋସ ଉଡ଼ିଯାଇଥିଲା । ବିମାନ କମ୍ପାନିକୁ ପଚାରିବାରୁ ସେମାନେ ଓଲଟି ଯାତ୍ରୀଙ୍କୁ ଭୁଲ ଦେଇଥିଲେ । ତେବେ ତାଙ୍କୁ ଉକ୍ତ ବିମାନରେ ଫେରାଇ ଅଣାଯିବ ବୋଲି ଏୟାରଲାଇନ୍ସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ତିନି ଦିନ ପରେ।

ପାକିସ୍ତାନ ଫେରିବା ପରେ ସେ ପାକିସ୍ତାନର ବିମାନ ଚଳାଚଳ ନିୟନ୍ତ୍ରକଙ୍କ ନିକଟରେ ଏୟାରଲାଇନ୍ସ ବିରୋଧରେ ଅଭିଯୋଗ କରିଛନ୍ତି । ବିମାନ ଚଳାଚଳ ନିୟନ୍ତ୍ରକ ମଧ୍ୟ ପ୍ରାଥମିକ ଯାଞ୍ଚରେ ଏହା ଏୟାରଲାଇନ୍ସର ଅବହେଳା ଓ ଦାୟିତ୍ବହୀନତା ବୋଲି ଜାଣିବାକୁ ପାଇଛନ୍ତି ।