ଆତଙ୍କବାଦୀ ଆକ୍ରମଣ ବେଳେ ଚୀନ୍‌ କନ୍‌ସୁଲେଟ୍‌ କର୍ମଚାରୀଙ୍କୁ ବଞ୍ଚାଇଥିବା କରାଚି ମହିଳା ପୁଲିସ

କରାଚି: ଶୁକ୍ରବାର ଦିନ ଅସ୍ତ୍ରଶସ୍ତ୍ର ଖଚିତ ଆତ୍ମଘାତୀ ଆତଙ୍କବାଦୀମାନେ ପାକିସ୍ତାନୀ ସହରରେ ଚୀନ୍‌ କନ୍‌ସୁଲେଟ୍‌ ଉପରେ ଆକ୍ରମଣ କରିବା ସମୟରେ କରାଚିର ଜଣେ ନିର୍ଭୟା ମହିଳା ପୁଲିସ ଅଧିକାରୀ ଅନେକ ଚୀନ୍‌ ଦୂତବାସୀୟ କର୍ମଚାରୀଙ୍କୁ ବଞ୍ଚାଇଥିଲେ। ସେ ହେଉଛନ୍ତି ବରିଷ୍ଠ ପୁଲିସ ସୁପରିଟେଣ୍ଡେଣ୍ଟ୍‌ ସୁହାଇ ତାଲପୁର। ଏକଦା ସେ ଏକ ଘରୋଇ ବିଦ୍ୟାଳୟରେ ନାମ ଲେଖାଇବାରୁ ଗ୍ରାମରେ ସମସ୍ତ ଆତ୍ମୀୟସ୍ୱଜନ ତାଙ୍କୁ ତେଜ୍ୟା କରିଥିଲେ।

ତାଙ୍କ ନେତୃତ୍ୱାଧୀନ ନିରାପତ୍ତା ଅଭିଯାନ କରାଚିରେ ବଲୋଚ୍‌ ଲିବରେସନ୍‌ ଆର୍ମି ସଦସ୍ୟଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଥିଲା।

ସେ ନିଶ୍ଚିତ ହୋଇଥିଲେ ଯେ ୯ଟି ହାତ ଗ୍ରେନେଡ୍‌, ଆସଲ୍‌ଟ୍‌ ରାଇଫଲ୍‌, ମାଗାଜିନ୍‌ ଏବଂ ବିସ୍ଫୋରକ ସହ ଆସିଥିବା ଆତଙ୍କବାଦୀମାନେ ଯେମିତି କନ୍‌ସୁଲେଟ୍‌ ଭିତରେ ଥିବା ଦୂତାବାସୀୟ କର୍ମଚାରୀଙ୍କ ପାଖରେ ନ ପହଞ୍ଚି ପାରନ୍ତି।

ଆତଙ୍କବାଦୀମାନେ ଖାଦ୍ୟରସଦ, ଔଷଧ ଆଦି ଆଣିଥିବାରୁ ସେମାନେ ପଣବନ୍ଦୀ ରଖିବା ଯୋଜନା କରିଥିଲେ ବୋଲି ପୁଲିସ ଅନୁମାନ କରିଥିଲା। କିନ୍ତୁ, ସମାନେ କନ୍‌ସୁଲେଟ୍‌ ଗେଟ୍‌ ସମ୍ମୁଖରେ ପହଞ୍ଚିବା ମାତ୍ରେ ସୁହାଇଙ୍କ ନେତୃତ୍ୱାଧୀନ ପୁଲିସ ଟିମ୍‌ ପ୍ରତିଶୋଧ ନେବା ପାଇଁ ସଜ ହୋଇଯାଉଥିଲେ।

ସିନ୍ଧ୍‌ ପ୍ରଦେଶ ଅନ୍ତର୍ଗତ ତାନ୍ଦୋ ମହମ୍ମଦ୍‌ ଖାଁ ଜିଲ୍ଲାର ତାଲପୁର ଗାଁରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ସୁହାଇଙ୍କ ଜନ୍ମ। ୨୦୧୩ରେ ସେଣ୍ଟ୍ରାଲ୍‌ ସୁପରିୟର୍‌ ସର୍ଭିସ୍‌ ପରୀକ୍ଷା ପାସ୍‌ କରି ସେ ପୁଲିସ ଫୋର୍ସରେ ଯୋଗ ଦେଇଥିଲେ।

ସେ କହନ୍ତି: ବାପାମାଆ ସ୍କୁଲ୍‌ରେ ମୋର ନାମ ଲେଖାଇବାକୁ ସ୍ଥିର କରିବା ପରେ ଆମର ଅଧିକାଂଶ ଆତ୍ମୀୟସ୍ୱଜନ ଆମ ପରିବାରକୁ ଉପହାସ କଲେ। ତେଣୁ ଆମ ପରିବାର ଗାଁ ଛାଡ଼ି ପାଖ ସହରକୁ ଉଠିଗଲେ।

ତାଙ୍କ ବାପା ଅଜିଜ୍‌ ତାଲପୁର ଜଣେ ରାଜନୈତିକ କର୍ମୀ ଏବଂ ଲେଖକ। ଝିଅ ପାଇଁ ଖୁବ୍‌ ବଡ଼ ସ୍ୱପ୍ନ ଥିଲା ତାଙ୍କର। ତେଣୁ ସବୁ ସାମାଜିକ ଲାଞ୍ଛନା ସତ୍ତ୍ୱେ ସେ ଝିଅର ପଢ଼ା ପ୍ରତି ଦୃଷ୍ଟି ଦେଇଥିଲେ। ସ୍କୁଲ୍‌ ଶିକ୍ଷା ପରେ ସେ ସିନ୍ଧ୍‌ ପ୍ରଦେଶର ହାଇଦ୍ରାବାଦରେ ଥିବା ଜୁବାଦିଆ ମହିଳା ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଥିଲେ। ପରେ ସେ ପ୍ରଥମ ଥରରେ ସିଏସ୍‌ଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁଲିସରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର