ଭାବିନଥିଲେ ପୁଣି ଏକାଠି ହେବେ: ହନିମୁନ୍‌ ସ୍ପଟ୍‌ରେ ନହେଉ ପଛେ ହସ୍ପିଟାଲ୍‌ରେ ତ ସାଥୀ ହୋଇରହିଲେ…

କଟକ: ବାହାଘରକୁ ମାତ୍ର ତିନିଦିନ ପୂରିଥିଲା। ସାରାଜୀବନ ସାଥି ହୋଇ ରହିବେ ବୋଲି ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବାହାନଗା ଟ୍ରେନ ଦୁର୍ଘଟଣା ମୃତ୍ୟୁର ଦାନବ ପରି ଏହି ହାୱଡ଼ା ଅଞ୍ଚଳର ନିବାସୀ ମହମ୍ମଦ ରଫିକ ଓ ଦୀପିକା ପାଲିଙ୍କ ବାଟ ଘେରିଥିଲା। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ଉଭୟ। ଆଖି ସାମ୍ନାରେ ଶହ ଶହ ମୃତଦେହ ଥିବାବେଳେ କାନରେ ଆହତଙ୍କ କରୁଣ ଚିତ୍କାର ଶୁଣି ପରସ୍ପରଠାରୁ ସବୁଦିନ ଲାଗି ଅଲଗା ହୋଇ ଯିବାର ଭୟ ଉଭୟଙ୍କୁ ଘାରିଥିଲା।

ହେଲେ ନିୟତି ଏହି ପତି ପତ୍ନୀଙ୍କ ଭାଗ୍ୟରେ ମୃତ୍ୟୁ ନୁହେଁ ବରଂ ଜୀବନ ଲେଖିଥିଲା। ଫଳସ୍ୱରୂପ ମୃତ୍ୟୁ ଆଁ ଭିତରୁ ବାହାରି ଆସିଲେ ଏହି ନବଦମ୍ପତି  ଏବଂ ଏବେ ଏସସିବି ମେଡିକାଲ ପାଲଟିଛି ଏମାନଙ୍କ ନୂଆ ଠିକଣା।
ତିନି ଦିନର ବାହାଘର ପରେ ବୁଲିବା ପାଇଁ ଉଭୟ ପତିପତ୍ନୀ କରମଣ୍ଡଳ ଏକ୍ସପ୍ରେସ ଯୋଗେ ହାୱଡ଼ାରୁ ଚେନ୍ନାଇ ଓ ସେଠାରୁ ବେଙ୍ଗାଲୁରୁ ଯାଇଥାନ୍ତେ। କିନ୍ତୁ ପରିସ୍ଥିତି ଏମାନଙ୍କୁ ଆଣି ଏସସିବିରେ ପହଞ୍ଚାଇ ଦେଲା। ଶହ ଶହ ପରିବାର ଉଛନ୍ନ ହୋଇ ଯାଇ ଥିବାବେଳେ ଉଭୟ ବଞ୍ଚି ଯାଇଥିବାରୁ ଏଥିପାଇଁ ଈଶ୍ୱରଙ୍କୁ କୋଟି ଧନ୍ୟବାଦ ଦେଇଛନ୍ତି। ଏବେ ମହମ୍ମଦ ରଫିକ ଟ୍ରମା ଓ ଦୀପିକା ପାଲି ସର୍ଜରୀ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେହି କାଳ ରାତିର କାହାଣୀକୁ ମନେ ପକାଇ ଶିହରୀ ଉଠୁଛି ମହମ୍ମଦ ରଫିକ ଓ ଦୀପିକା ପାଲିଙ୍କ ଛାତି।

ସମ୍ବନ୍ଧିତ ଖବର