କରଣ ଭୂଷଣ, ରୋହିଣୀ ଆଚାର୍ଯ୍ୟ, ବାଂସୁରୀ ସ୍ବରାଜ୍; ଜାଣନ୍ତୁ ଆଗରେ କେଉଁ ନେତାଙ୍କ ପୁଅ-ଝିଅ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ‌ଶେଷ ହେବା ପରେ ଆଜି ଭୋଟ ଗଣତି ଆରମ୍ଭ ହୋଇଥିଲା। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏନଡିଏ ଆଗରେ ରହିଥିବା ଦେଖାଯାଇଛି। ହେଲେ ଏଥର ଏନଡିଏର ବିଜୟ ଯାତ୍ରାରେ କଣ୍ଟା ସାଜିଛି ଇଣ୍ଡିଆ ମେଣ୍ଟ। ବିଜେପି ୪୦୦ ଆସନ ଜିତିବ ବୋଲି ଦାବି କରୁଥିବା ବେଳେ ଏପର୍ଯ୍ୟନ୍ତ ୩୦୦ମାର୍କ ଅତିକ୍ରମ କରିବା ବିଜେପି ପାଇଁ କାଠିକର ପାଠ ହୋଇଛି। ବିଜେପି ଏବେ ୨୯୫ ଆସନରେ ଆଗୁଆ ଥିବା ବେଳେ ମ୍ୟାଜିକ୍ ନମ୍ବର ୨୭୨ ଅତିକ୍ରମ କରିଛି ।

ଚଳିତ ଲୋକସଭା ନିର୍ବାଚନରେ ଅନେକ ନେତାଙ୍କ ପୁଅ-ଝିଅ ମଇଦାନକୁ ଓହ୍ଲାଇଥିବା ବେଳେ କିଛି ଆଗରେ ରହିଛନ୍ତି ଏବଂ କିଛି ପଛରେ ରହିଯାଇଛନ୍ତି। ଆସନ୍ତୁ ଏହା ଉପରେ ନଜର ପକାଇବା…

୧. ମୀନାକ୍ଷୀ ଲେଖୀଙ୍କ ଟିକେଟ୍ କାଟି ବିଜେପି ବାଂସୁରୀ ସ୍ୱରାଜଙ୍କୁ ନୂଆଦିଲ୍ଲୀରୁ ପ୍ରାର୍ଥୀ କରିଥିଲା। ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିବଂଗତ ସୁଷମା ସ୍ୱରାଜଙ୍କ ଝିଅ। ୨୦୧୯ମସିହାରେ ସୁଷମାଙ୍କର ମୃତ୍ୟୁ ହୋଇଥିଲା। ବାଂସୁରୀ ସ୍ୱରାଜଙ୍କ ଏହା ହେଉଛି ପ୍ରଥମ ନିର୍ବାଚନ। ବର୍ତ୍ତମାନ ସେ ୬୮୩୩୪ ଭୋଟରେ ଆଗରେ ଅଛନ୍ତି । ବାଂସୁରୀ ଏପର୍ଯ୍ୟନ୍ତ ୪,୧୬,୦୭୧ ଭୋଟ୍ ପାଇଛନ୍ତି। ଏହି ଆସନରେ ଆପ୍ ପ୍ରାର୍ଥୀ ସୋମନାଥ ଭାରତୀ ୩,୫୦,୭୩୭ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

୨. ମହାରାଷ୍ଟ୍ରର ବାରାମତି ଲୋକସଭା ନିର୍ବାଚନମଣ୍ଡଳୀ ଏଥର ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ସୁଯୋଗ ଦେଇଥିଲା। ତାଙ୍କ ସାମ୍ନାରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଥିଲେ। ଅଜିତ ହେଉଛନ୍ତି ସୁପ୍ରିୟା ସୁଲେଙ୍କ ସମ୍ପର୍କୀୟ ଭାଇ। ଏହାର ଅର୍ଥ ଏଠାରେ ପ୍ରତିଯୋଗିତା ନଣଦ(ସୁପ୍ରିୟା) ଏବଂ ଭାଉଜ(ସୁନେତ୍ରା)ଙ୍କ ମଧ୍ୟରେ ହୋଇଥିଲା। ବର୍ତ୍ତମାନ ସୁପ୍ରିୟା ସୁଲେ ୨୭,୫୧୦ଭୋଟରେ ଆଗରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୨,୬୦,୦୬୩ ଭୋଟ୍ ପାଇଥିବା ବେଳେ ସୁନେତ୍ରା ୨,୩୨,୫୫୩ ଭୋଟ୍ ପାଇଛନ୍ତି।

୩. କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଜ୍ବାଇଁ ରାଧାକୃଷ୍ଣ ଡୋଡାମଣିଙ୍କୁ କଂଗ୍ରେସ କଲବୁର୍ଗୀରୁ ପ୍ରାର୍ଥୀ କରିଥିଲା। ସେ ଏବେ ୨୭,୨୦୫ ଭୋଟରେ ଆଗୁଆ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ବିଜେପିର ଉମେଶ ଯାଦବ (୬,୨୫,୧୧୬ ଭୋଟ୍) ରହିଛନ୍ତି।

୪. କୈଶରଗଞ୍ଜ ଆସନକୁ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଗଡ଼ ବୋଲି କୁହାଯାଏ। ମହିଳା କୁସ୍ତିଯୋଦ୍ଧାଙ୍କ ସହ ବିବାଦ ଏବଂ ଯୌନ ଶୋଷଣ ଅଭିଯୋଗ ପରେ ବିଜେପି ବ୍ରିଜଭୂଷଣଙ୍କୁ ଟିକେଟ ନଦେଇ ତାଙ୍କ ବଡ ପୁଅ କରଣ ଭୂଷଣଙ୍କୁ ପ୍ରାର୍ଥୀ କରିଥିଲା। ବର୍ତ୍ତମାନ କରଣ ୧,୪୪,୯୯୧ ଭୋଟରେ ଆଗୁଆ ଅଛନ୍ତି। ସେ ଏପର୍ଯ୍ୟନ୍ତ ୫,୫୨,୯୬୯ ଭୋଟ୍ ପାଇଛନ୍ତି। ଏହା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ସମାଜବାଦୀ ପାର୍ଟିର ଭଗତ ରାମ।

୫. ଚଳିତ ଲୋକସଭା ନିର୍ବାଚନରେ ଲାଲୁଙ୍କ ଦୁଇ ଝିଅ ମିସା ଭାରତୀ ଓ ରୋହିଣୀ ଆଚ‌ାର୍ଯ୍ୟ ମଇଦାନକୁ ଓହ୍ଲାଇଥିଲେ। ପାଟଲିପୁତ୍ର ଆସନ କଥା କହିବାକୁ ଗଲେ ଏଠାରୁ ମିସା ଭାରତୀ ତୃତୀୟଥର ଆରଜେଡ଼ିର ପ୍ରାର୍ଥୀ ହୋଇଥିଲେ।  ତାଙ୍କର ସାମ୍ନା ବିଜେପିର ରାମକୃପାଳ ଯାଦବଙ୍କ ସହିତ ହୋଇଥିଲା। ଏବେ ମିସା ୪୯୧୫୧ ଭୋଟରେ ଆଗୁଆ ରହିଛନ୍ତି। ହେଲେ ବାପା ଲାଲୁ ପ୍ରସାଦ ଯାଦବଙ୍କୁ କିଡନି ଦେଇ ଜୀବନ ବଞ୍ଚାଇଥିବା ରୋହିଣୀ ଆଚାର୍ଯ୍ୟ ପଛରେ ରହିଯାଇଛନ୍ତି। ସେ ସାରଣରେ ବିଜେପି ପ୍ରାର୍ଥୀ ରାଜୀବ ପ୍ରତାପଙ୍କଠାରୁ ୭୨୮୯ ଭୋଟରେ ପଛୁଆ ରହିଛନ୍ତି।

୬. ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଗଡ଼ ଭାବେ ଜଣାଶୁଣା ଛିନ୍ଦୱାଡାରେ ବିଜେପି ଆଗୁଆ ରହିଛି। ଏଠାରୁ କଂଗ୍ରେସ କମଲ ନାଥଙ୍କ ପୁଅ ନକୁଲ ନାଥଙ୍କୁ ପ୍ରାର୍ଥୀ କରିଥିଲା। ଏବେ ‌ସେ ୧,୧୩,୬୫୫ ଭୋଟରେ ପଛୁଆ ରହିଛନ୍ତି। ପ୍ରଥମ ସ୍ଥାନରେ ବିଜେପିର ବଣ୍ଟି ବିବେକ ସାହୁ (୬,୪୩,୧୧୫ ଭୋଟ୍) ଅଛନ୍ତି।

ସମ୍ବନ୍ଧିତ ଖବର