ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେ‌ବେଗୌଡ଼ାଙ୍କ ପରିବାର ଭାଇରାଲ ହୋଇଥିବା ଅଶ୍ଳୀଳ ଭିଡିଓ ଘଟଣାରେ ଫସି ଯାଇଛନ୍ତି। ଦେବେଗୌଡ଼ାଙ୍କ ବିଧାୟକ ପୁଅ ଏଚଡି ରେବନ୍ନା ଓ ସାଂସଦ ନାତି ପ୍ରଜ୍ୱଲ ରେବନ୍ନାଙ୍କ ବିରୋଧ‌ ମହିଳାଙ୍କୁ ‌ଯୌନ ନିର୍ଯାତନା  ଦେଉଥିବା ନେଇ ମାମଲା ରୁଜୁ କରାଯାଇଛି।

Advertisment

ହୋଲେନରାସିପୁର ଥାନାରେ ଏଚଡି ରେବନ୍ନା ଓ ପ୍ରଜ୍ୱଲ ରେବନ୍ନାଙ୍କ ବିରୋଧରେ ରୋଷେୟା ଅଭିଯୋଗ କରି କହିଛନ୍ତି, ‘ମୁଁ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କ ସ୍ତ୍ରୀ ଭବାନୀଙ୍କ ସମ୍ପର୍କୀୟ।  ଭବାନୀଙ୍କ କହିବାନୁସାରେ ମୁଁ ପ୍ରଜ୍ବଲଙ୍କ ଘରେ ରହି ରୋଷେଇ କାମ ବୁଝାବୁଝି କରିଥାଏ। ଯେତେବେଳେ ଭବାନୀ ମ୍ୟାଡମ ଘରେ ନଥାଆନ୍ତି ପ୍ରଜ୍ବଲ ସାର ଘରେ କାମ କରୁଥିବା ମହିଳାମାନଙ୍କୁ ଷ୍ଟୋର ରୁମକୁ ଡାକି ଫଳ ଦେବା ବାହାନାରେ ‌ଯୌନ ନିର୍ଯାତନା ଦେଇଥାଆନ୍ତି। ଏମିତି କି ରୋଷେଇରେ କାମ କରୁଥିବା ମହିଳାଙ୍କ ଶାଢ଼ିର ପିନ ଖୋଲି ପେଟକୁ ମୁଖା ମାରି ଥାଆନ୍ତି।

ମୋ ଝିଅକୁ ଫୋନ କରି ଅଶ୍ଳୀଳ କଥା ହେବା ସହିତ ଭିଡିଓ କଲ ବି କ୍ରୁଥିଲେ ପ୍ରଜ୍ୱଲ। ବାରମ୍ବାର ଏପରି କରିବା ପରେ ଝିଅ ତାଙ୍କର ନମ୍ବରକୁ ବ୍ଲକ କରି ଦେଇଥିଲା। ସେ ଘରକୁ ଆସିଲେ ଘରେ ଥିବା ସମସ୍ତ ମହିଳା ସହାୟିକାମାନେ ଭୟ କରିଥାଆନ୍ତି। ମୁଁ ଯେତେବେଳେ ପ୍ରଥମଥର ପ୍ରଜ୍ୱଲଙ୍କ ଘରକୁ ଆସିଥିଲି ସେଠାରେ ଥିବା ପୁରୁଷ କର୍ମଚାରୀ ସାଂସଦଙ୍କ ଠାରୁ ବଞ୍ଚିକି ରହିବାକୁ ଚେତାଇ ଦେଇଥିଲେ। ମୁଁ କିନ୍ତୁ ସେମାନଙ୍କ କଥାକୁ ଗୁରୁତ୍ବ ଦେଇ ନଥିଲି। କିନ୍ତୁ ଅଙ୍ଗେ ନିଭାଇବା ପରେ ପ୍ରଜ୍ବଲ କିଭଳି ଲୋକ ତାହା ବୁଝି ଯାଇଛି। ତାଙ୍କ ନିର୍ଯାତନା ଆଉ ସହି ନହେବାରୁ ମୁଁ ଅଭିଯୋଗ ପାଇଁ ନିଷ୍ପତ୍ତି ନେଇଥିଲି।’