ବିହାରରେ ହିଂସା ବ୍ୟାପୁଛି: ୨୦୦ ଗିରଫ, କର୍ଫ୍ୟୁ ଜାରି

ପାଟନା:  ବିହାରର ଔରଙ୍ଗବାଦ ଓ ସମସ୍ତିପୁର ଜିଲ୍ଲାରେ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଆଜି ଉଗ୍ର ରୂପ ନେଇଛି।  ବିଭିନ୍ନ ହିଂସା ମାମଲାରେ ୫ଶହ ଅଭିଯୁକ୍ତଙ୍କ ମଧ୍ୟରୁ ୨୦୦ରୁ ଊର୍ଦ୍ଧ୍ୱଙ୍କୁ ଗିରଫ କରାଯାଇଛି ଏବଂ ସହରରେ କର୍ଫ୍ୟୁ ଜାରି ହୋଇଛି ।  ଆଜି ସନ୍ଧ୍ୟାରେ ପରିସ୍ଥିତି ଜଟିଳ ହୋଇଥିବା ବେଳେ ୬ଟି ଜିଲ୍ଲାକୁ ହିଂସା ବ୍ୟାପିଛି।  ସମସ୍ତିପୁରର ରୋସେରା ଅଞ୍ଚଳରେ ଥିବା ଏକ ମସ୍‌ଜିଦ୍‌କୁ କିଛି ଲୋକ ପଥର ମାଡ଼ କରିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଏହି ଘଟଣାରେ ଜେଡିୟୁ ସାଧାରଣ ସମ୍ପାଦକ କେ.ସି.ତ୍ୟାଗୀ ସହଯୋଗୀ ବିଜେପିକୁ ଚିଠି ଲେଖି ଏଭଳି ଦଙ୍ଗା ଓ ହିଂସାରୁ ଦୂରେଇ ରହିବାକୁ କହିଛନ୍ତି।  ହିଂସାକୁ ଉସୁକାଇବାକୁ ଉଦ୍ୟମ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ମିଳିଥିବା ଖବର ମୁତାବକ, ସୋମବାର ସନ୍ଧ୍ୟାରେ ରୋସୋର ଅଞ୍ଚଳର ଏକ ମସ୍‌ଜିଦ୍‌ ନିକଟରେ ଯାଉଥିବା ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରୁ ଏହି ଦଙ୍ଗାର ଆରମ୍ଭ ହୋଇଛି। ବିସର୍ଜନ ଶୋଭାଯାତ୍ରା ଯାଉଥିବା ସମୟରେ ମସ୍‌ଜିଦ ନିକଟସ୍ଥ ଏକ ଛାତରୁ ଜୋତା ଆସି ମୂର୍ତ୍ତି ଉପରେ ପଡିବା ପରେ ସାଧାରଣରେ ଉତ୍ତେଜନା ଦେଖାଦେଇଥିଲା।

ସମ୍ବନ୍ଧିତ ଖବର