ଆଜି ଆମ ଦେଶରେ ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଉଛି। କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ବୀର ଯବାନଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିବା ସହ ଦେଶର ଅଖଣ୍ଡତାକୁ ବଜାୟ ରଖିବା ଓ ସୁରକ୍ଷା ଦେବା ପାଇଁ ଏହା ଅବସର ଆଣିଥାଏ।

Advertisment

ଉଲ୍ଲେଖଯୋଗ୍ୟ, ୧୯୯୯ ମସିହା ଆଜିର ଦିନରେ ଆମ ଉତ୍ତର ସୀମାର ଲଦାଖ ଅନ୍ତର୍ଗତ କାର୍ଗିଲ କ୍ଷେତ୍ରରେ ପାକିସ୍ତାନୀ ସେନାର ଅନୁପ୍ରବେଶକୁ ଆମ ଯବାନମାନେ ପଣ୍ଡ କରି ସେଠାରେ ଜାତୀୟ ପତାକା ତିରଙ୍ଗା ଉଡ଼ାଇଥିଲେ। ବରଫାଚ୍ଛନ୍ନ କାର୍ଗିଲ ଶୃଙ୍ଗରେ ଭାରତୀୟ ସେନାର ‘ବିଜୟ’ ନାମକ ଏହି ତିନିମାସିଆ ସଶସ୍ତ୍ର ଅଭିଯାନରେ ପାକିସ୍ତାନ ରେଞ୍ଜର୍ସର ସୈନିକମାନେ ସଂପୂର୍ଣ୍ଣ ଧରାଶାୟୀ ହୋଇଥିଲେ। ନିୟନ୍ତ୍ରଣ ରେଖା ନିକଟରେ ସଂଘଟିତ ଏହି କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଅଦମ୍ୟ ଉତ୍ସାହ ଓ ସାହସ ପ୍ରଦର୍ଶନ କରି ଦେଶର ସୀମାକୁ ସୁରକ୍ଷିତ ରଖିଥିବା ଯବାନମାନଙ୍କ ସ୍ମୃତିରେ ଏପରି ‘କାର୍ଗିଲ ବିଜୟ ଦିବସ’ ପାଳନର ପରିକଳ୍ପନା କରାଯାଇଛି।

ସ୍ମରଣଥାଉ କି, ୧୯୯୮ ମସିହାରେ ଉଭୟ ଦେଶ ପରମାଣୁ ପରୀକ୍ଷଣ କରିବା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏହା ପ୍ରତ୍ୟକ୍ଷ ଓ ଖୋଲା ଯୁଦ୍ଧର ପ୍ରଥମ ଉଦାହରଣ ହୋଇଥିବାରୁ ଏହି ବିବାଦ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥଲା। ତେବେ ଏହି ଯୁଦ୍ଧରେ ପାକ୍ ସେନା ଉପଭୋଗ କରୁଥିବା ଉଚ୍ଚ ପର୍ବତମାଳାର ଭୂଭାଗ ଓ ରଣନୀତିକ ସ୍ଥିତିର ଫାଇଦା ସତ୍ତ୍ବେ ଭାରତୀୟ ଯବାନଙ୍କ ସାହସିକତା, ସଂକଳ୍ପ ଓ ବଳିଦାନ ଯୋଗୁଁ ପାକ୍ ସେନା କବଳରୁ ଅତିକ୍ରମିତ ଅଞ୍ଚଳ ଉଦ୍ଧାର ହୋଇଥିଲା।