ସ୍ମୃତିରେ କାର୍ଗିଲ ବିଜୟ ଦିବସ

ବିଯୁକ୍ତ ୧୦ ଡିଗ୍ରି ତାପମାତ୍ରାରେ ସହିଦ ହୋଇଥିଲେ ୫୨୭ ଯବାନ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର କାର୍ଗିଲ ଜିଲ୍ଲା ଅନ୍ତର୍ଗତ ଅତ୍ୟୁଚ୍ଚ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନାକୁ ପରାଜିତ କରିବାର ସ୍ମୁତିକୁ ମନେ ପକାଇ ଭାରତ ଆଜି(ଜୁଲାଇ ୨୬, ରବିବାର) କାର୍ଗିଲ ବିଜୟ ଦିବସ ପାଳନ କରିଛି। ଏହି ଅବସରରେ ୧୯୯୯ ମସିହାର ଉକ୍ତ ପରାକ୍ରମରେ ବଳିଦାନ ଦେଇଥିବା ସହିଦମାନଙ୍କୁ ଦେଶବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହି ସମୟରେ ପାକିସ୍ତାନୀ ସେନା ଏବଂ ଅନୁପ୍ରବେଶକାରୀ କାର୍ଗିଲ ଇଲାକା ଅତିକ୍ରମଣ କରି ଗଢ଼ିଥିବା ଘାଟିଗୁଡ଼ିକୁ ଧ୍ବଂସ କରିବା ଲାଗି ଭାରତୀୟ ସେନାବାହିନୀ ଏହି ଅଭିଯାନ ଆରମ୍ଭ କରିଥିଲା। ବିଯୁକ୍ତ ୧୦ ଡିଗ୍ରି ସେଲସିଅସ୍‌ ତାପମାତ୍ରା ପରିବେଶରେ ଏହା ୧୯୯୯ ମେ’ରୁ ଆରମ୍ଭ ହୋଇ ଜୁଲାଇ ୨୬ରେ ସରିଥିଲା। ତେବେ ସାମରିକ ଦୃଷ୍ଟିକୋଣରୁ ଆଗୁଆ ସେଠାରେ ଉଚ୍ଚ ସ୍ଥାନରେ ନିଜକୁ ଅବସ୍ଥାପିତ କରିସାରିଥିବା ପାକିସ୍ତାନୀ ସେନାର ପଲା ଭାରୀ ଥିଲା। ମାତ୍ର ସ୍ଥାନୀୟ ମେଷଚାଳକମାନଙ୍କଠାରୁ ସୂଚନା ସଂଗ୍ରହ କରି ଭାରତୀୟ ଯବାନମାନେ ପ୍ରତିପକ୍ଷର ଉପସ୍ଥିତିକୁ ଠାବ କରି ଅପରେସନ୍‌ ‘ବିଜୟ’ ଆରମ୍ଭ କରିଦେଇଥିଲେ।

ମେ’ ୨୬ରେ ଭାରତୀୟ ବାୟୁସେନା ଏହାର ଅପରେସନ୍‌ ‘ସଫେଦ ସାଗର’ ଆରମ୍ଭ କରିଥିଲା। ଏଥିରେ ବାୟୁସେନାର ମିଗ୍‌-୨୧, ମିଗ୍‌-୨୭ ଓ ମିରେଜ୍‌-୨୦୦୦ ବିମାନଗୁଡ଼ିକ ଶତ୍ରୁସେନା ଉପରେ ରକେଟ୍‌ ଓ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଥିଲେ। ଏପରିକି ପାକିସ୍ତାନରେ ପଶି ବୋମା ନିକ୍ଷେପ କରିବାକୁ ମଧ୍ୟ ବାୟୁସେନା ଯୋଜନା କରିଥିଲା। ମାତ୍ର ତତ୍କାଳୀନ ଅଟଳବିହାରୀ ବାଜପେୟୀଙ୍କ ଏନ୍‌ଡିଏ ସରକାର କୌଣସି ପରିସ୍ଥିତିରେ ବି ଭାରତୀୟ ବିମାନଗୁଡ଼ିକ ନିୟନ୍ତ୍ରଣ ରେଖା ନଡେଇଁବା ପାଇଁ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଏ ଵାଇ ଟିପନିସ୍‌ଙ୍କୁ ପରାମର୍ଶ କରିଥିଲେ। ଏଥି ସହିତ ଯୁଦ୍ଧ ବେଳେ ନିୟନ୍ତ୍ରଣ ରେଖା ଡେଇଁବାକୁ ବାୟୁସେନା ଚାହିଥିଲା ବେଳେ ତାହାକୁ ମଧ୍ୟ ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ଭାରତୀୟ ନୌସେନା ମଧ୍ୟ ଅପରେସନ ‘ତଲଵାର’ ଆରମ୍ଭ କରିଥିଲା, ଯେଉଁଥିରେ ପାକିସ୍ତାନୀ ବନ୍ଦର ବିଶେଷ କରି କରାଚିକୁ ତୈଳ ଓ ଇନ୍ଧନ ଯୋଗାଣ ବନ୍ଦ କରିଦେଇଥିଲା। ଏପରିକି ନୌସେନାର ପୂର୍ବତଟ ଓ ପଶ୍ଚିମତଟ ବାହିନୀ ଆରବ ସାଗରରେ ପଇଁତରା ମାରି ପାକିସ୍ତାନର ଯାବତୀୟ ବାଣିଜ୍ୟପଥ ବନ୍ଦ କରିଦେବାକୁ ଧମକାଇଥିଲା। ଏଥିରେ ଆମେରିକା ହସ୍ତକ୍ଷେପ କରିବାକୁ ପାକିସ୍ତାନ ଅନୁରୋଧ କରିଥିବା ବେଳେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ତାହା ପ୍ରତ୍ୟାଖ୍ୟାନ କରିବା ସହ ନିୟନ୍ତ୍ରଣ ରେଖା ନିକଟରୁ ନିଜ ସୈନ୍ୟଙ୍କୁ ଫେରାଇନେବା ଲାଗି ପାକିସ୍ତାନକୁ ପରାମର୍ଶ କରିଥିଲେ। ଜୁଲାଇ ୨୬ରେ ଭାରତୀୟ ସେନା କାର୍ଗିଲ୍‌ରେ ପାକିସ୍ତାନ ନିର୍ମିତ ଘାଟିଗୁଡ଼ିକ ଧ୍ବଂସ/କବ୍‌ଜା କରି ବିଜୟ ହାସଲ କରିଥିଲେ। ଏହି ଯୁଦ୍ଧରେ ୫୨୭ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ପାକିସ୍ତାନର ୩୫୭ରୁ ୪୫୩ ଭିତରେ ସୈନିକଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା।

ସମ୍ବନ୍ଧିତ ଖବର