କାରଗିଲ ବିଜୟ ଦିବସ: ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଶ୍ରୀନଗରରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧା ସୁମନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ‘ ବିଂଶତମ କାରଗିଲ୍‌ ବିଜୟ ଦିବସ ଅବସରରେ ଶ୍ରୀନଗର ଚିନାର କର୍ପ୍ସ (୧୫ କର୍ପ୍ସ) ଯୁଦ୍ଧ ସ୍ମାରକୀଠାରେ ୧୯୯୯ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି। ଶ୍ରୀନଗରକୁ ଏହା‌ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ। ପୂର୍ବରୁ ସେ ଜମ୍ମୁ କଶ୍ମୀରର ଲଦାଖ ଏବଂ ଜମ୍ମୁ ଅଞ୍ଚଳ ଗସ୍ତ କରିଥିଲେ। ରାଷ୍ଟ୍ରପତି କହିଛନ୍ତି ୧୯୯୯ରେ କାର୍‌ଗିଲର ପାହାଡ଼ରେ ଭାରତୀୟ ସେନାର ଅପୂର୍ବ ବୀରତ୍ବକୁ ଆଜି ସ୍ମରଣ କରିବାର ଦିନ ଏବଂ ଭାରତ ମାତାର ରକ୍ଷା ପାଇଁ ବୀର ଯୋଦ୍ଧାମାନେ ଯେଉଁ ପରାକ୍ରମ ଦେଖାଇଛନ୍ତି ସେଥିପାଇଁ ଆମେ ଆଜୀବନ ଋଣୀ ରହିବୁ।

ଆଜି ସକାଳେ ରାଷ୍ଟ୍ରପତିଙ୍କର ଦ୍ରାସସ୍ଥିତ କାରଗିଲ ଯୁଦ୍ଧସ୍ମାରକୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ପାଗ ଭଲ ନରହିବା କାରଣରୁ ଏହି ଗସ୍ତ ବାତିଲ କରାଯାଇଥିଲା। ଅନ୍ୟପ‌କ୍ଷେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ପରିସରରେ ବୀର ସହିଦମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, କାର୍ଗିଲ୍‌ ଯୁଦ୍ଧର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଭାରତର ସମ୍ମାନ, ଗର୍ବ ଓ ଗୌରବ ପାଇଁ ନିଜ ଜୀବନକୁ ବଳି ଦେଇଛନ୍ତି। ସେମାନଙ୍କ ସାହସ ଓ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା ବୋଲି ରାଜନାଥ କହିଛନ୍ତି। କୃତଜ୍ଞ ରାଷ୍ଟ୍ର କେବେହେଲେ ସୈନିକମାନଙ୍କ ସର୍ବୋଚ୍ଚ ବଳିଦାନକୁ ଭୁଲିବ ନାହିଁ ବୋଲି ସେ କହିଛନ୍ତି।

୧୯୯୯ର ସ୍ମୃତି ବାଣ୍ଟିଲେ ମୋଦୀ
ନୂଆଦିଲ୍ଲୀ: ଭାରତ ଆଜି କାରଗିଲ୍‌ ଯୁଦ୍ଧର ୨୦ ବର୍ଷର ପୂର୍ତ୍ତି ମନାଉଛି। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୯୯ ମସିହାରେ କାରଗିଲ୍‌ ଗସ୍ତ ସମୟର କିଛି ସ୍ମୃତି ବାଣ୍ଟିଛନ୍ତି। ମୋଦୀ ଆଜି ସୋସିଆଲ ମିଡିଆରେ ଏ ସଂପର୍କିତ ଫଟୋ ଟ୍ବିଟ୍‌ କରି କହିଛନ୍ତି, ୧୯୯୯ରେ କାରଗିଲ୍‌ ଯୁଦ୍ଧ ସମୟରେ ସେ କାରଗିଲ କ୍ଷେତ୍ରକୁ ଯିବାର ସୁଯୋଗ ପାଇଥିଲେ। ସେ ସମୟରେ ସେ ବିଜେପି ପାଇଁ ଜମ୍ମୁ କଶ୍ମୀର ଏବଂ ହିମାଚଳପ୍ରଦେଶରେ ସାଂଗଠନିକ କାର୍ଯ୍ୟ କରୁଥିଲେ। କାରଗିଲ୍‌ ଗସ୍ତ ଏବଂ ସୈନିକମାନଙ୍କ ସହ କଥାବାର୍ତ୍ତା ହେବା ଏକ ଅଭୁଲା ସ୍ମୃତି ବୋଲି ମୋଦୀ ଆଜି ଟ୍ବିଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର