କାର୍ଗିଲ୍ ଯୁଦ୍ଧ: ୨୦ ବର୍ଷ ତଳେ ପାକିସ୍ତାନୀ ସୈନ୍ୟଙ୍କୁ ଭୂଲୁଣ୍ଠିତ କରିବାକୁ ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିଥିଲା ବାୟୁସେନା
ନୂଆଦିଲ୍ଲୀ: କୋଡ଼ିଏ ବର୍ଷ ତଳେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କାର୍ଗିଲ୍ ସେକ୍ଟର୍ ଅଞ୍ଚଳର ଭାରତ ପଟ ନିୟନ୍ତ୍ରଣ ରେଖା ଠାରେ ଉଚ୍ଚଭୂଖଣ୍ଡ ଅକ୍ତିଆର କରିବାକୁ ମୁଜାହିଦୀନ ବେଶପୋଷାକରେ ସଶସ୍ତ୍ରବାହିନୀର କର୍ମଚାରୀଙ୍କୁ ପଠାଇ ପାକିସ୍ତାନ କରିଥିବା ନିର୍ଲ୍ଲଜ ଓ ଦୁଃସାହସିକ ଯୋଜନାକୁ ଭାରତୀୟ ବାୟୁସେନାର ସାହସୀ ଯୋଦ୍ଧାମାନେ ପ୍ରତିହତ କରିଥିଲେ।
୧୯୯୯ ମସିହା ମେ ମାସରେ ଭାରତୀୟ ସେନା ଏହା ଜାଣି ପାରିଥିଲା। ଭାରତୀୟ ସେନାର ଫର୍ଓ୍ଵାର୍ଡ ପାର୍ଟି ଉପରକୁ ଆକ୍ରମଣ କରାଯିବା ପରେ ସୀମାପାରି ଗୁଳି ବିନିମୟ ଆରମ୍ଭ ଓ ସେଲିଙ୍ଗ୍ ନିକ୍ଷେପ ତୀବ୍ରତର ହୋଇଥିଲା। ମେ ୧୯ ତାରିଖ ଦିନ କାଶଗର ସେକ୍ଟର୍ରେ କ୍ୟାପ୍ଟେନ୍ ସୌରଭ କାଳିଆଙ୍କ ନେତୃତ୍ୱାଧୀନ ୪ ଜାଟ୍ ରେଜିମେଣ୍ଟ୍ର ପାଟ୍ରୋଲ୍ ପାର୍ଟି ନିରୁଦ୍ଦେଶ ହୋଇ ଯାଇଥିଲେ।
ଭାରତ ଦ୍ରାସ୍, କାର୍ଗିଲ୍ ଓ ବାଟାଲିକ୍ ସେକ୍ଟର୍କୁ ୨ ଲକ୍ଷ ସୈନ୍ୟ ପଠାଇଥିଲା। ମେ ୨୫ ତାରିଖ ଦିନ ବିମାନ ଆକ୍ରମଣ ଲାଗି ଅନୁମତି ମିଳିଥିଲା ଏବଂ ଭାରତ ପଟ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ଉଚ୍ଚଭୂମିରୁ ଅନୁପ୍ରବେଶକାରୀ ପାକିସ୍ତାନୀ ସୈନିକଙ୍କୁ ବିଲୋପ କରିବାକୁ ମେ ୨୬ ତାରିଖ ସୁଦ୍ଧା ବାୟୁସେନା ଆରମ୍ଭ କରିଥିଲା ସଫେଦ୍ ସାଗର ଅଭିଯାନ।
୨୦ ବର୍ଷ ତଳେ, ମେ ୨୭ ତାରିଖ ଦିନ ବାଟାଲିକ ସେକ୍ଟର୍ର ଉଚ୍ଚଭୂମିରୁ ଅନୁପ୍ରବେଶକାରୀ ପାକିସ୍ତାନୀ ସୈନ୍ୟଙ୍କୁ ଆକ୍ରମଣ କରିବାକୁ ମିଗ୍ ୨୭ର ‘ଉଲ୍ଫ୍ ପ୍ୟାକ୍’ର ସ୍କ୍ଵାଡ୍ରନ୍ ୯ ଦାୟିତ୍ୱ ଦିଆଯାଇଥିଲା। ଫ୍ଲାଇଟ୍ ଲେଫ୍ଟ୍ନାଣ୍ଟ୍ ଅନୁପମ ବାନର୍ଜୀଙ୍କ ଆଦେଶକ୍ରମେ ସ୍କ୍ଵାଡ୍ରୋନ୍୯ ମିଗ୍ ୨୭ ସକାଳ ୧୦: ୩୦ରେ ଶ୍ରୀନଗର ଠାରୁ ଉଡ଼ାଣ ଆରମ୍ଭ କରିଥିଲା। ସେଦିନର ହିରୋମାନଙ୍କ ମଧ୍ୟରେ ଥିଲେ ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ନଚିକେତା, ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ଏ ମୋନାକୋଟ୍ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ବି ଖାତନା। ସ୍କ୍ଵାଡ୍ରୋନ୍ ୫୧ ସୋର୍ଡ ଆର୍ମର ଦୁଇଟି ମିଗ୍ ୨୧ ସେମାନଙ୍କୁ ଉପରୁ ସୁରକ୍ଷା ଦେଉଥିଲେ। ଅଧଘଣ୍ଟାର ଯାତ୍ରା ପରେ ଉଲ୍ଫ୍ ପ୍ୟାକ୍ର ଚାରିଟି ଜେଟ୍ ଶତ୍ରୁ ସୈନ୍ୟ ଆତ୍ମଗୋପନ କରିଥିବା ସ୍ଥାନରେ ବୋମା ବର୍ଷଣ କରିଥିଲେ।