କାର୍ଗିଲ ଯୁଦ୍ଧର ଖଳନାୟକ ମୁସାରଫ: ୧୯୯୯ ଲାହୋର ଘୋଷଣାନାମା ସହ ବିଶ୍ବାସଘାତ କରିଥିଲେ

ଇସଲାମାବାଦ: ଜେନେରାଲ ପରଭେଜ ମୁସାରଫ କାଶ୍ମୀର ପ୍ରସଙ୍ଗ ସମାଧାନର ନିକଟତର ହୋଇଥିଲେ ମଧ୍ୟ ସେ ହିଁ ପରେ କାର୍ଗିଲ ଯୁଦ୍ଧର ସୂତ୍ରପାତ କରିଥିଲେ। ୧୯୯୯ରେ ନୱାଜ ସରିଫଙ୍କ ସରକାରକୁ ବିନା ରକ୍ତପାତରେ ପଦଚ୍ୟୁତ କରି ମୁସାରଫ କ୍ଷମତା ଅକ୍ତିଆର କରି ଦେଶର ରାଷ୍ଟ୍ରପତି ହୋଇଥିଲେ। ପିଏମ୍‌ଏଲ୍‌-କ୍ୟୁ ଦଳ ଗଠନରେ ସାହାଯ୍ୟ କରି ସେ ଦୀର୍ଘଦିନ କ୍ଷମତାରେ ରହିପାରିଥିଲେ। ୨୦୦୮ରେ ମହାଭିଯୋଗକୁ ଏଡ଼ାଇବା ପାଇଁ ସେ ବାଧ୍ୟହୋଇ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ।

ସୂଚନାଯୋଗ୍ୟ, ନୱାଜ ସରିଫଙ୍କ ଆମନ୍ତ୍ରଣକ୍ରମେ ଭାରତର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ୧୯୯୯ରେ ଲାହୋର ଯାଇଥିଲେ। ସେଠାରେ ଦୁଇ ଦେଶ ମଧ୍ୟରେ ଏକ ଘୋଷଣାନାମାରେ ସ୍ବାକ୍ଷର କରାଯାଇଥିଲା। ଦୁଇଦେଶ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା, ସୀମାପାର ଆକ୍ରମଣ ବନ୍ଦ କରିବା, ଯୁଦ୍ଧ ବଦଳରେ ଶାନ୍ତି ପ୍ରତିଷ୍ଠା ପ୍ରତି ଗୁରୁତ୍ବ ଦେବା ଇତ୍ୟାଦି ଥିଲା ଏହାର ଉଦ୍ଦେଶ୍ୟ। କିନ୍ତୁ ଏହାର ମାତ୍ର କେଇ ସପ୍ତାହ ପରେ ମୁସାରଫଙ୍କ ନିର୍ଦ୍ଦେଶରେ ପାକିସ୍ତାନୀ ସେନା ଗୁପ୍ତଭାବରେ ଏବଂ ଛଦ୍ମ ରୂପରେ ନିୟନ୍ତ୍ରଣରେଖା ପାର କରି କାର୍ଗିଲ କ୍ଷେତ୍ରରେ ପ୍ରବେଶ କରିଥିଲେ। ଏହା ଏକ ସଂକ୍ଷିପ୍ତ ଅଥଚ ସାଂଘାତିକ ଯୁଦ୍ଧର ରୂପ ନେଇଥିଲା ଏବଂ ପାକିସ୍ତାନ ସେନାର ଶୋଚନୀୟ ପରାଜୟ ଘଟିଥିଲା। ଭାରତୀୟ ସେନା ଓ ବାୟୁସେନା ଦ୍ବାରା ପାକିସ୍ତାନର ବହୁ ସୈନିକ ନିପାତ ହେଲେ। ଆମେରିକା ରାଷ୍ଟ୍ରପତି ବିଲ୍ କ୍ଳିଣ୍ଟନ ଭାରତର ପକ୍ଷ ନେବାରୁ ଅନ୍ୟ ଉପାୟ ନ ପାଇ ପାକିସ୍ତାନ ସେନା ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲା।

କ୍ରମେ ମୁସାରଫ ଓ ସରିଫଙ୍କ ମଧ୍ୟରେ ମତପାର୍ଥକ୍ୟ ତୀବ୍ର ହେବାରେ ଲାଗିଲା। ୧୯୯୯ ଅକ୍ଟୋବର ମାସରେ ମୁସାରଫ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ସେ ଯେପରି ଆଉ ପାକିସ୍ତାନ ଫେରି ନ ପାରିବେ ତା’ର ବ୍ୟବସ୍ଥା କରିବାକୁ ସରିଫ ଆଦେଶ ଦେଲେ। ତାଙ୍କ ବିମାନକୁ ପାକିସ୍ତାନ ମାଟିରେ ଅବତରଣ କରାଇ ନ ଦେବାକୁ ସେ ନିର୍ଦ୍ଦେଶ ଦେଲେ। କିନ୍ତୁ ଏହି ସମୟରେ ପାକିସ୍ତାନ ସେନା ମୁସାରଫଙ୍କ ପକ୍ଷ ନେଲା। ସେମାନେ ପାକିସ୍ତାନର ସବୁ ସରକାରୀ କାର୍ଯ୍ୟାଳୟକୁ ନିଜ ନିୟନ୍ତ୍ରଣକୁ ନେଇଯିବା ସହ ମୁସାରଫଙ୍କର କରାଚୀ ବିମାନବନ୍ଦରରେ ନିରାପଦରେ ଅବତରଣ କରାଇଲେ। ମୁସାରଫ ସରିଫଙ୍କୁ କ୍ଷମତାଚ୍ୟୁତ କରି ତାଙ୍କୁ ସାଉଦି ଆରବକୁ ନିର୍ବାସନରେ ପଠାଇଦେଲେ ଏବଂ ନିଜକୁ ପାକିସ୍ତାନର ରାଷ୍ଟ୍ରପତି ଘୋଷଣା କଲେ।

କାର୍ଗିଲ ଯୁଦ୍ଧର ୨ ବର୍ଷ ପରେ ଜୁଲାଇ ୨୦୦୧ରେ ବାଜପେୟୀ ମୁସାରଫଙ୍କୁ ଆଗ୍ରା ସମ୍ମିଳନୀକୁ ନିମନ୍ତ୍ରଣ କଲେ। ଏହି ବୈଠକରେ ବହୁତ କିଛି ସୁଫଳ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଭାରତୀୟ ସାମ୍ବାଦିକମାନଙ୍କ ସହ ଏକ ବୈଠକରେ ମୁସାରଫଙ୍କ କଥୋପକଥନ ପରେ ସବୁକିଛି ଓଲଟପାଲଟ ହୋଇଗଲା। ମୁସାରଫ ୯/୧୧ ପରବର୍ତ୍ତୀ ଆମେରିକାର ଆତଙ୍କବାଦବିରୋଧୀ ଲଢ଼େଇରେ ନିଜକୁ ସାମିଲ କରି ଆମେରିକାର ଆର୍ଥିକ ସାହାଯ୍ୟ ପାଇଲା ଏବଂ ଉଦାରୀକରଣ ଅର୍ଥନୀତିରୁ ମଧ୍ୟ ଲାଭ ପାଇଲା। କିନ୍ତୁ ଭାରତ ସହ ପାକିସ୍ତାନ କରିଥିବା କୌଣସି ଚୁକ୍ତିନାମା ପାଳନ କଲାନାହିଁ। ପାକିସ୍ତାନ ମାଟିକୁ ଆତଙ୍କବାଦୀଙ୍କ ଭାରତବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହାର ଲାଗି ଅନୁମତି ଦେଇ ମୁସାରଫ ତାଙ୍କ ଭାରତ ବିରୋଧୀ ଏଜେଣ୍ଡା ଜାରି ରଖିଥିଲେ।

ସମ୍ବନ୍ଧିତ ଖବର